ଦୁଇ ଦେଶ ମଧ୍ୟରେ ବିମାନସେବା ପୁଣି ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କୁ ଅନୁରୋଧ କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ବିମାନ ସେବା ପୁନଃ ଆରମ୍ଭ କରିବା ପାଇଁ ଭାରତକୁ ଅନୁରାଧ କରିଛି । ଏନେଇ ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଭାରତୀୟ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଏଥିରେ ଦୁଇଦେଶ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ କରିବା ପାଇଁ ଆଫଗାନିସ୍ତାନର ସରକାରୀ ବିମାନ କମ୍ପାନୀକୁ ଅନୁମତି ଦେବା ପାଇଁ ଅନୁରୋଧ କରାଯାଇଛି ।

ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଭାରତ ସହ ଯୋଗାଯୋଗ କରିଛି । ଭାରତ ଏଯାବତ୍ ତାଲିବାନ ସରକାରକୁ ମାନ୍ୟତା ଦେଇନାହିଁ । କିନ୍ତୁ ଅଗଷ୍ଟରେ ଭାରତୀୟ ନାଗରିକଙ୍କ ସୁରକ୍ଷିତ ସ୍ଥାନାନ୍ତର ଏବଂ ଆତଙ୍କବାଦ ପ୍ରସଙ୍ଗରେ ତାଲିବାନ ପ୍ରତିନିଧଙ୍କ ସହ ଆଲୋଚନା କରିଥିଲା ଭାରତ । ଉକ୍ତ ବୈଠକ କାତାରରେ ଅନୁଷ୍ଠିତ ହୋଇଥିଲା ।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଆଫଗାନିସ୍ତାନକୁ ବିମାନସେବା ବାତିଲ କରିଥିଲା ଭାରତ ।

Comments are closed.