ମୋଦିଙ୍କ ଜନ୍ମଦିନରେ ବିନା ଟିକାରେ ଲୋକଙ୍କୁ ଦିଆଯାଇଥିଲା ସାର୍ଟିଫିକେଟ୍‌: ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭)ରେ ଦେଶରେ ଟିକାକରଣରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା ବୋଲି ଦାବି କରାଯାଇଥିଲା । ଉକ୍ତଦିନ ଦେଶବ୍ୟାପୀ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟିକା ଡୋଜ୍ ଦିଆଯାଇଥିଲା ବୋଲି କୁହାଯାଇଥିଲା । ତେବେ ଏହି ରେକର୍ଡ ଟିକାକରଣ ସଂଖ୍ୟାରେ ଜାଲିଆତି ହୋଇଛି ବୋଲି ‘ଦି କାରାଭାନ୍‌’ ମାଗାଜିନ୍‌ର ଏକ ଅନୁସନ୍ଧାନ ମୂଳକ ରିପୋର୍ଟରେ ଦାବି କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ, ମୋଦିଙ୍କ ଜନ୍ମଦିନରେ ଲୋକଙ୍କୁ ବିନା ଟିକାରେ କେବଳ ସାର୍ଟିଫିକେଟ୍ ଦିଆଯାଇଥିଲା ।

କିଛି ରାଜ୍ୟର ଲୋକଙ୍କୁ ସେପ୍ଟେମ୍ବର ୧୭ରେ ଟିକା ନ ଦିଆଯାଇ ଖାଲି ସାର୍ଟିଫିକେଟ୍ ଦିଆଯାଇଥିଲା । ଆଉ କିଛି ଲୋକ କହିଛନ୍ତି ଯେ ସେହିଦିନ ଦ୍ୱିତୀୟ ଡୋଜ୍ ଦେବା ପାଇଁ ସେମାନେ ଟିକା କେନ୍ଦ୍ରକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ଟିକା ଦିଆଯାଇନଥିଲା । ଟିକା ପରିବର୍ତ୍ତେ ସେମାନଙ୍କୁ ଆଗରୁ ନେଇଥିବା ପ୍ରଥମ ଡୋଜ୍ ପାଇଁ ସାର୍ଟିଫିକେଟ୍ ଦେଇ ଫେରାଇ ଦିଆଯାଇଥିଲା ।

‘ଦି କାରାଭାନ୍‌’ ରିପୋର୍ଟ ଅନୁଯାୟୀ ବିହାରରେ ସେପ୍ଟେମ୍ବର ୧୬ ଓ ୧୭ରେ ହୋଇଥିବା ଟିକାକରଣ ତଥ୍ୟ ସେପ୍ଟେମ୍ବର ୧୭ ଅର୍ଥାତ ମୋଦିଙ୍କ ଜନ୍ମଦିନରେ କୋ-ୱିନ୍ ପୋର୍ଟାଲରେ ଅପଲୋଡ୍ କରାଯାଇଥିଲା । କୋ-ୱିନ୍ ପୋର୍ଟାଲ୍ ତଥ୍ୟ ମୁତାବକ ସେପ୍ଟେମ୍ବର ୧୭ରେ ସାରା ଦେଶରେ ୨.୫ କୋଟି ଟିକା ଡୋଜ୍ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସାତ ଦିନରେ ଟିକାକରଣ ହାର ବହୁ ମାତ୍ରାରେ କମିଯାଇଥିଲା । ସେପ୍ଟେମ୍ବର ୧୭ ପରେ ହାରାହାରି ଦୈନିକ ଟିକାକରଣ ମାତ୍ର ୭୧ ଲକ୍ଷ ଥିଲା । ଟିକାକରଣର ଏହି ତଥ୍ୟରୁ ମୋଦିଙ୍କ ଜନ୍ମଦିନରେ ଅଢ଼େଇ କୋଟି ଟିକା ଡୋଜ୍ ଦିଆଯାଇଥିବା ଦାବି ନେଇ ପ୍ରଶ୍ନ ଉଠୁଛି ।

Comments are closed.