୨ ହଜାର ୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ସକାରାତ୍ମକ ମନୋଭାବ ନେଇ ରୋଗୀ ସେବା ପାଇଁ ଆହ୍ୱାନ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ଆଜି ସ୍ୱାସ୍ଥ୍ୟ ସେବାରେ ୨ ହଜାର ୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ମଧ୍ୟରେ ୨ ହଜାର ୩୯୨ ଜଣ ଏମବିବିଏସ ଡାକ୍ତର ଥିବା ବେଳେ ୮୧ ଜଣ ଦାନ୍ତ ଡାକ୍ତର ଅଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ସମସ୍ତ ନବ ନିଯୁକ୍ତ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ନବନିଯୁକ୍ତ ଡାକ୍ତରଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ,ଓଡ଼ିଶା ରୂପାନ୍ତରଣରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ କ୍ଷେତ୍ର। ଓଡ଼ିଶା ଲୋକଙ୍କ ଟଙ୍କାକୁ ଆପଣଙ୍କ ଦରମା ଆକାରରେ ଖର୍ଚ୍ଚ କରାଯାଉଛି। ଆପଣଙ୍କୁ ସେମାନଙ୍କ ସେବା କରିବାକୁ ପଡ଼ିବ। ପ୍ରତ୍ୟେକ ରୋଗୀଙ୍କୁ ସକାରାତ୍ମକ ମନୋଭାବରେ ଚିକିତ୍ସା କରିବା ଆପଣଙ୍କ ଦାୟିତ୍ବ ବୋଲି ଡାକ୍ତରମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି। ୫-ଟି ଉପକ୍ରମରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର।

ପ୍ରତିଟି ଜୀବନ ମୂଲ୍ୟବାନ। ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ନେଇ କାମ କରିବାକୁ ନବ ନିଯୁକ୍ତ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ନିଯୁକ୍ତିକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୩ ହଜାର ୬୦୦ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ନଭେମ୍ବରରେ ପ୍ରାୟ ୪ ହଜାର ନର୍ସିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି।

ନୂଆ ଡାକ୍ତରଙ୍କୁ ଆଜିର ନିଯୁକ୍ତି ପତ୍ର ପ୍ରଦାନ ଅବସରରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବ ନିଯୁକ୍ତ ଡାକ୍ତରଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିବାକୁ ଆହ୍ବାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଭିଜନରେ ଡାକ୍ତରମାନେ ଅଂଶୀଦାର ହେବାକୁ ଆହ୍ବାନ ଦେଇଥିବା ବେଳେ, ଗ୍ରାମୀଣ ଲୋକଙ୍କ ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି ୫ଟି ଅଧ୍ୟକ୍ଷ।

Comments are closed.