ଜୁନ୍ ୧ରୁ ଟି-୨୦ ବିଶ୍ୱକପ୍, ଜୁନ୍ ୯ରେ ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ: ଆଇସିସି ଶୁକ୍ରବାର ଟି-୨୦ ବିଶ୍ୱକପ୍ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ଟି-୨୦ ବିଶ୍ୱକପ୍ ଜୁନ୍ ୧ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ୯ଟି ସହରରେ ଟୁର୍ଣ୍ଣାମେଣ୍ଟର ୫୫ଟି ମ୍ୟାଚ୍ ଖେଳାଯିବ । ଏଥର ମଧ୍ୟ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ଵୀ ଗ୍ରୁପ୍ ଜୁନ୍ ୯ରେ ମୁହାଁମୁହିଁ ହେବେ। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ ।

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳଙ୍କୁ ସାମିଲ କରାଯାଇଛି । ଗତ ଦୁଇଟି ସଂସ୍କରଣରେ ୧୬ଟି ଦଳ ଖେଳିଥିଲେ।

ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ କାନାଡା ଏବଂ ଘରୋଇ ଦଳ ଆମେରିକା ମଧ୍ୟରେ ଖେଳାଯିବ | ଏହି ମ୍ୟାଚ୍ ଜୁନ୍ ୧ରେ ଡାଲାସରେ ଅନୁଷ୍ଠିତ ହେବ।

ଜୁନ୍ ୨ ରୁ ୧୭ ପର୍ଯ୍ୟନ୍ତ ୪୦ଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ସୁପର-୮ର ୧୨ଟି ମ୍ୟାଚ୍ ଜୁନ୍ ୧୯ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଥମ ସେମିଫାଇନାଲ ଜୁନ୍ ୨୬ରେ ଗାଏନାରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ଜୁନ୍ ୨୭ରେ ତ୍ରିନିଦାଦରେ ଖେଳାଯିବ । ଜୁନ୍ ୨୯ ରେ ବାରବାଡୋସରେ ଖେଳାଯିବ ଫାଇନାଲ ।

Comments are closed.