ଚୀନକୁ ଚେକ୍ ଦେବାକୁ ଲଦାଖରେ କେ୯-ବଜ୍ର ହାୱିଜର୍ ରେଜିମେଣ୍ଟ ମୁତୟନ କଲା ଭାରତ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଭାରତ ପ୍ରଥମ କେ୯-ବଜ୍ର ସ୍ୱୟଂଚାଳିତ ହାୱିଜର୍ ରେଜିମେଣ୍ଟ ନିୟୋଜିତ କରିଛି | କେ୯-ବଜ୍ର (ତୋପ) ପ୍ରାୟ ୫୦ କିଲୋମିଟର ଦୂରରେ ଥିବା ଶତ୍ରୁ ଟାର୍ଗେଟକୁ ଆକ୍ରମଣ କରିପାରିବ | ପୂର୍ବ ଲଦାଖର ଫରଓ୍ବାର୍ଡ ‌ଅଞ୍ଚଳରେ ଏହି ତୋପ ନିୟୋଜିତ କରାଯାଇଛି। କେ୯-ବଜ୍ର ଏପରି ଏକ ସମୟରେ ନିୟୋଜିତ ହୋଇଛି ଯେତେବେଳେ କି ଏଲ୍ଏସି ସଂଲଗ୍ନ ଅଞ୍ଚଳରେ ଚୀନ୍ ସେନା ଡ୍ରୋନ୍ ବ୍ୟବହାର କରୁଛି |
କେ୯-ବଜ୍ର ଭାରତରେ ନିର୍ମିତ ହେଉଛି | ଏହାକୁ ମୁମ୍ବାଇ ସ୍ଥିତ ଫାର୍ମ ଲାରସେନ୍ ଆଣ୍ଡ ଟ୍ରୁବୋ ଏବଂ ଦକ୍ଷିଣ କୋରିଆ ଫାର୍ମ ମିଳିତ ଭାବେ ତିଆରି କରିଛନ୍ତି। ଭାରତୀୟ ସେନା ଦକ୍ଷିଣ କୋରିଆର ଏକ ଫାର୍ମରୁ ୧୦୦ ତୋପ ପାଇଁ ଅର୍ଡର୍ ଦେଇଥିଲା, ଏହା ପରେ ଏହି ବନ୍ଧୁକଗୁଡ଼ିକୁ ବିଭିନ୍ନ ରେଜିମେଣ୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଅନ୍ୟପକ୍ଷରେ, ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର.କେ ମଥୁର ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଲେହରେ ବିଶ୍ୱର ସର୍ବବୃହତ ଖଦୀରେ ନିର୍ମିତ ଜାତୀୟ ପତାକା ଉଦଘାଟନ କରିଛନ୍ତି। ଏହି ସମୟରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରାଓ୍ବଣେ ମଧ୍ୟ ଉପସ୍ଥିତ ଥିଲେ। ଚୀନ୍ ସହ ସୀମା ବିବାଦ ସମ୍ପର୍କରେ ଜେନେରାଲ ନାରାଓ୍ବଣେ କହିଛନ୍ତି ଯେ ଗତ ୬ ମାସ ମଧ୍ୟରେ ସ୍ଥିତି ସ୍ୱାଭାବିକ ରହିଛି। ଆମେ ଆଶା କରୁଛୁ ଯେ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ୧୩ତମ ରାଉଣ୍ଡ ଆଲୋଚନା ଅନୁଷ୍ଠିତ ହେବ ଏବଂ ‘ସେନା ପ୍ରତ୍ୟାହାର’ କିପରି ହେବ ସେ ନେଇ ଆମେ ନିଶ୍ଚିତ କରିବୁ।

Comments are closed.