ଆପର ଦାବି: ପଞ୍ଜାବରେ ଅପରେସନ୍ ଲୋଟସ୍ ଚଳାଇଛି ବିଜେପି, ପ୍ରତ୍ୟେକ ବିଧାୟକଙ୍କୁ ଯାଚୁଛି ୨୫ କୋଟି

ଚଣ୍ଡିଗଡ଼: ପଞ୍ଜାବ ଆମ୍ ଆଦମୀ ପାର୍ଟି (ଆପ୍) ସରକାରରେ ଅର୍ଥମନ୍ତ୍ରୀ ଥିବା ହରପାଲ ସିଂ ଚିମା ବିଜେପି ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଚିମା ଦାବି କରିଛନ୍ତି ଯେ ବିଜେପି ପଞ୍ଜାବରେ ଅପରେସନ୍ ଲୋଟସ୍ ଚଳାଇଛି । ବିଜେପି ଆମର ବିଧାୟକ ମାନଙ୍କୁ କିଣିବାକୁ ଚେଷ୍ଟା କରୁଛି । ବିଜେପି ପ୍ରତ୍ୟେକ ଆପ୍ ବିଧାୟକଙ୍କୁ ୨୫ କୋଟି ଟଙ୍କା ଲେଖାଏଁ ଯାଚୁଛି।

ଏ ସମ୍ପର୍କରେ ଆପର ପଞ୍ଜାବ ଶାଖା ଟୁଇଟ୍ କରି କହିଛି, “ସିରିଏଲ କିଲର ବିଜେପି ବର୍ତ୍ତମାନ ପଞ୍ଜାବକୁ ନିଜର ଅପରେସନ୍ ଲୋଟସ୍ ଆଣିଛି। ପଞ୍ଜାବର ଆପ୍ ବିଧାୟକମାନଙ୍କୁ ୨୫-୨୫ କୋଟି ଅଫର୍ ଦେଉଛି। ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ବିଜେପିର ଅପରେସନ ବିଫଳ ହେବ।”

ବିଧାୟକଙ୍କୁ କିଣି ପଞ୍ଜାବରେ ଆପ୍ ସରକାରକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ବୋଲି ଚିମା ମଙ୍ଗଳବାର ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ପଞ୍ଜାବରେ ଅପରେସନ୍ ଲୋଟସ୍ ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଛି। ସେ କହିଛନ୍ତି ଯେ ବିଜେପି ଆମ ବିଧାୟକମାନଙ୍କୁ ଆପ୍ ଛାଡ଼ିବା ପାଇଁ ୨୫ କୋଟି ଯାଚୁଛି। ବିଜେପି ମଧ୍ୟ ଏହି ବିଧାୟକମାନଙ୍କୁ ବଡ଼ ପଦବୀର ପ୍ରଲୋଭନ ଦେଖାଉଛି | ନିଜ ସହ ଅଧିକ ବିଧାୟକ ଆଣିଲେ ୭୫ କୋଟି ଟଙ୍କା ଦିଆଯିବ ବୋଲି ଲୋଭ ଦେଖାଉଛି ବିଜେପି |

ବିଜେପି ଉପରେ ଅଭିଯୋଗ କରି ହରପାଲ ସିଂ ଚିମା କହିଛନ୍ତି ଯେ ବିଜେପି ନେତାମାନେ ଆପ୍ ବିଧାୟକଙ୍କୁ କହୁଛନ୍ତି ଯେ ସରକାର ହଟାଇବା ପାଇଁ ସେମାନଙ୍କୁ କେବଳ ୩୫ ଜଣ ବିଧାୟକ ଦରକାର। କଂଗ୍ରେସ ବିଧାୟକମାନେ ତାଙ୍କ ସହ ଯୋଗାଯୋଗରେ ଥିବାରୁ ସେମାନେ ଏପରି କହୁଛନ୍ତି। ଚିମା କହିଛନ୍ତି ଯେ ପଞ୍ଜାବରେ ବିଜେପି ସାତରୁ ୧୦ ଜଣ ଆପ୍ ବିଧାୟକଙ୍କ ସହ ଯୋଗାଯୋଗ କରିଛି । ତେବେ ଚିମା ଏହି ବିଧାୟକଙ୍କ ନାମ ପ୍ରକାଶ କରି ନାହାଁନ୍ତି।

Comments are closed.