ଦେଶକୁ ଦରକାର ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ: ଆପ୍

ଶ୍ରୀନଗର: ଦେଶରେ ଘୃଣା ରୋକିବା, ସଠିକ୍ ନୀତି ପ୍ରଣୟନ ଓ ପୂର୍ବ ପୁରୁଷଙ୍କ ସ୍ୱପ୍ନ ସାକାର କରିବାକୁ ହେଲେ ଭାରତକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି ବୋଲି ଗୁରୁବାର ଆମ୍ ଆଦମୀ ପାର୍ଟି (ଆପ୍) କହିଛି। ଆପର ମିଡିଆ ସମନ୍ୱୟ କମିଟିର ଅଧ୍ୟକ୍ଷ ନଓ୍ବାବ ନାସିର ଅମନ ଏଠାରେ ‘ମୋଦୀ ହଟାଅ, ଦେଶ ବଞ୍ଚାଅ’ ନାମକ ପୋଷ୍ଟର ଅଭିଯାନ ଆରମ୍ଭ କରିବା ଅବସରରେ କହିଛନ୍ତି, ଜଣେ ଅଶିକ୍ଷିତ ବ୍ୟକ୍ତି ଦେଶ ଚଳାଇ ପାରିବେ ନାହିଁ। ସେ (ମୋଦୀ) କୁହନ୍ତି ଯେ ସେ ନିରକ୍ଷର।

ନୀତି ପ୍ରସ୍ତୁତ କରିବା, ଘୃଣା ବନ୍ଦ କରିବା ପାଇଁ ଭାରତକୁ ଜଣେ ଶିକ୍ଷିତ ବ୍ୟକ୍ତି ଦରକାର । ଆଜି ଆମେ ‘ମୋଦୀ ହାଟାଅ-ଦେଶ ବଞ୍ଚାଅ’ ନାମକ ଏକ ଜାତୀୟ ଅଭିଯାନ ଆରମ୍ଭ କରୁଛୁ। ନଓ୍ବାବ ନାସିର ଅମନ କହିଛନ୍ତି ଯେ ଏହି ଅଭିଯାନ ପାଇଁ ତାଙ୍କ ଦଳ ସମାଲୋଚନାର ସମ୍ମୁଖୀନ ହେବ ଏବଂ ଜେଲ ମଧ୍ୟ ଯିବାକୁ ପଡିପାରେ। କିନ୍ତୁ ଏହା ଆମକୁ ରୋକିପାରିବ ନାହିଁ | ଯଦି ଆମକୁ ଏ‌ହି ଦେଶକୁ ବଞ୍ଚାଇବାକୁ ଅଛି, ଯଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମହାତ୍ମା ଗାନ୍ଧୀ ଅବା ଜବାହରଲାଲ ନେହେରୁଙ୍କ ସ୍ୱପ୍ନକୁ ସାକାର କରିବାକୁ ଅଛି, ତେବେ ନରେନ୍ଦ୍ର ମୋଦୀଙ୍କୁ ଯିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ମୋଦୀ ତାଙ୍କ ସୁବିଧା ପାଇଁ କୋର୍ଟ, ଇଡି ଓ ନିର୍ବାଚନ ଆୟୋଗ ଭଳି ଏଜେନ୍ସିର ଅପବ୍ୟବହାର କରୁଛନ୍ତି। ଆମକୁ ଏକ ନୂଆ ସ୍ୱାଧୀନତାର ଯୁଦ୍ଧ କରିବାକୁ ପଡ଼ିବ | ଆମକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ପଡିବ।

ଆମ୍ ଆଦମୀ ପାର୍ଟିର ଏହି ନେତା କହିଛନ୍ତି ଯେ ପ୍ରତ୍ୟେକ ମୁସଲମାନ, ହିନ୍ଦୁ ଏବଂ ଶିଖ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶାନ୍ତି ପାଇବାକୁ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଆଜି ଏହି ସରକାର ଅଣ ବିଜେପି ଦଳର ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ ଜାରି କରୁଛି, ଚଢାଉ କରୁଛି । କିନ୍ତୁ ଯେତେବେଳେ ସେହି ଲୋକମାନେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦିଅନ୍ତି, ସେତେବେଳେ ସେମାନେ ସବୁ ସ୍ୱଚ୍ଛ ପବିତ୍ର ହୋଇଯାଆନ୍ତି। ନଓ୍ବାବ ନାସିର ଅମନ କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାର କେବଳ କିଛି ବ୍ୟବସାୟୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି।

Comments are closed.