କେଜ୍ରିୱାଲଙ୍କୁ ସିବିଆଇ ଜେରା ବିରୋଧରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆପର ବିକ୍ଷୋଭ, ୩୨ ଦଳୀୟ ବିଧାୟକ ଓ ୭୦ କର୍ପୋରେଟର ଗିରଫ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସିବିଆଇ ଜେରା କରୁଛି । ତେବେ ସିବିଆଇ ସମନ୍ ବିରୋଧରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ଓ କର୍ମକର୍ତ୍ତାମାନେ ରବିବାର ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ସିବିଆଇ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବାସହ ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ, ଅତିଶୀ ଏବଂ କୈଳାଶ ଗେହଲୋଟ ଏବଂ ରାଜ୍ୟସଭା ସଦସ୍ୟ ସନ୍ଦୀପ ପାଠକ, ରାଘବ ଚଢ଼ା ଓ ସଞ୍ଜୟ ସିଂଙ୍କ ସମେତ ଦଳର ବରିଷ୍ଠ ନେତାମାନେ ସିବିଆଇ ମୁଖ୍ୟାଳୟ ବାହାରେ ଏକାଠି ହୋଇଥିଲେ । କେଜ୍ରିୱାଲଙ୍କୁ ଜେରା ମଧ୍ୟରେ ଆପ୍ ନେତା ଓ କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଆପର ସଂଯୋଜକ ଗୋପାଳ ରାୟ ଦାବି କରିଛନ୍ତି ଯେ, ବିରୋଧ ପ୍ରଦର୍ଶନ କରୁଥିବା ଆପର ପ୍ରାୟ ୧,୫୦୦ କର୍ମୀ ଏବଂ ଅନେକ ବିଧାୟକଙ୍କୁ ପୋଲିସ ଅଟକ ରଖିଛି ଏବଂ କାଉନସିଲରମାନଙ୍କୁ ଗିରଫ କରାଯାଇଛି।

ସେ କହିଛନ୍ତି, “କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ କେନ୍ଦ୍ର ସରକାର ଷଡଯନ୍ତ୍ର କରୁଛନ୍ତି। ଅନେକ ସାଧାରଣ ଲୋକ ମଧ୍ୟ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ। ରାୟ ଦାବି କରିଛନ୍ତି, “ବିରୋଧ ପ୍ରଦର୍ଶନ କରିବାରୁ ଦିଲ୍ଲୀରୁ ପ୍ରାୟ ୧,୫୦୦ ଲୋକଙ୍କୁ ପୋଲିସ ଗିରଫ କରିଛି କିମ୍ବା ଅଟକ କରିଛି। ସହରରେ ୩୨ ଦିଲ୍ଲୀ ବିଧାୟକ ଏବଂ ୭୦ କର୍ପୋରେଟରଙ୍କୁ ଗିରଫ କରାଯାଇଛି । ପଞ୍ଜାବର ୨୦ ଜଣ ଆପ୍ ବିଧାୟକଙ୍କୁ ଦିଲ୍ଲୀ ସୀମାରେ ଗିରଫ କରାଯାଇଛି।

ଆଇଆଇଟି ଫ୍ଲାଏ ଓଭର ତଳେ ଏବଂ ଆଇଟିଓ ନିକଟରେ ମେହେରାଉଲିରେ ଅନେକ ଦଳର ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ‌। ଫଳରେ ସେହି ଅଞ୍ଚଳରେ ଟ୍ରାଫିକ୍ ଜାମ୍ ହୋଇଥିଲା।

ସହରରେ ଭାରି ସୁରକ୍ଷା କର୍ମୀ ମୁତୟନ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି।

ସିବିଆଇ ମୁଖ୍ୟାଳୟ ବାହାରେ ପାରାମିଲିଟାରୀ ଫୋର୍ସ ସମେତ ୧୦୦୦ ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଉକ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି।

ଅରବିନ୍ଦ କେଜ୍ରିୱାଲ ଆଜି ଅବକାରୀ ଦୁର୍ନୀତି ମାମଲାରେ ପୂର୍ବାହ୍ନ ୧୧ଟାରେ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ । ଏହା ପୂର୍ବରୁ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ଯାଇ ପୁଷ୍ପାଞ୍ଜଳି ଦେଇଥିଲେ ।

Comments are closed.