ଗିରଫ ହେଲେ କେଜ୍ରିୱାଲ ଇସ୍ତଫା ଦେବେ ନା ଜେଲରୁ ସରକାର ଚଳାଇବେ ? କାଲିଠୁ ଆପର ଜନମତ ସଂଗ୍ରହ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଯଦି ଆମ୍ ଆଦମୀ ପାର୍ଟି (ଆପ୍) ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୁଅନ୍ତି ତେବେ ସେ ଇସ୍ତଫା ଦେବେ ନା ଜେଲରୁ ସରକାର ଚଳାଇବେ ? ଏଥିପାଇଁ ଆସନ୍ତାକାଲି ଠାରୁ ଆପ୍ ତରଫରୁ ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନର ନାଁ ‘ମେଁ ଭି କେଜ୍ରିୱାଲ (ମୁଁ ବି କେଜ୍ରିୱାଲ)’ ରଖାଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଏହି ଜନମତ ସଂଗ୍ରହ ଅଭିଯାନର ପ୍ରଥମ ପର୍ଯ୍ୟାୟ ୧-୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୨୧ ରୁ ୨୪ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଏ ପ୍ରସଙ୍ଗରେ ସର୍ବସାଧାରଣ ଆଲୋଚନା ଅନୁଷ୍ଠିତ ହେବ |

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଅକ୍ଟୋବର ୩୦ରେ ପଚରାଉଚରା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍ କରିଥିଲା । ତାଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ଇଡି ସମନକୁ ବେଆଇନ କହି କେଜ୍ରିୱାଲ ହାଜର ହୋଇନଥିଲେ। ତାଙ୍କ ବିରୋଧରେ ନୋଟିସ ପ୍ରତ୍ୟାହାର କରିବାକୁ ସେ କେନ୍ଦ୍ରୀୟ ସଂସ୍ଥାକୁ ଚିଠି ଲେଖିଥିଲେ।

ଏହି ମାମଲାରେ ଇଡି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବ ବୋଲି ଆପ୍ ଆଶଙ୍କା ପ୍ରକାଶ କରିଛି ।

Comments are closed.