ରାଷ୍ଟ୍ରପତି ନିର୍ବାଚନ: ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟି(ଆପ୍) ରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଆଜି ତାହା ଘୋଷଣା କରିଛି। ଆପ୍ ସାଂସଦ ସଞ୍ଜୟ ସିଂ ଶନିବାର କହିଛନ୍ତି ଯେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଆପ୍ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ। ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ କରୁ କିନ୍ତୁ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବୁ ବୋଲି ସେ କହିଛନ୍ତି।

ଭାରତର ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବ ଏବଂ ଫଳାଫଳ ଜୁଲାଇ ୨୧ରେ ଘୋଷଣା କରାଯିବ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଶାସକ ଏନଡିଏ ପୂର୍ବତନ ଝାଡଖଣ୍ଡର ରାଜ୍ୟପାଳ ତଥା ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି।

ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ପ୍ରଥମ ମହିଳା ତଥା ଆଦିବାସୀ ରାଜ୍ୟପାଳ ଥିଲେ। ସେ ଦୀର୍ଘ ସମୟ ଧରି (ଛଅ ବର୍ଷରୁ ଅଧିକ) ଝାଡଖଣ୍ଡର ରାଜ୍ୟପାଳ ଥିଲେ।

ବିରୋଧୀ ଦଳ ଏହି ପଦ ପାଇଁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ର ପୂର୍ବତନ ଅଧିକାରୀ ସିହ୍ନା ଝାଡଖଣ୍ଡର ହଜାରିବାଗ ଆସନରୁ ବିଜେପି ଲୋକସଭା ସାଂସଦ ତଥା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ମଧ୍ୟ ରହିଥିଲେ ।

ସେ ଦୀର୍ଘ ଦିନ ଧରି ବିଜେପି ନେତା ରହିଆସିଥିଲେ ମଧ୍ୟ ନିକଟ ଅତୀତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜଣେ ସମାଲୋଚକ ପାଲଟିଥିଲେ । ଶେଷରେ ତାଙ୍କୁ ବିଜେପି ଛାଡିବାକୁ ପଡିଥିଲା।

Comments are closed.