ଲଶ୍କର ଉପମୁଖ୍ୟ ଅବଦୁଲ ରେହମାନ ମକ୍କି ବିଶ୍ବ ଆତଙ୍କବାଦୀ ଘୋଷିତ

ଜାତିସଂଘ: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବିଶ୍ୱ ଆତଙ୍କବାଦୀ କଳା ତାଲିକାରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବାର ଉପମୁଖ୍ୟ ଅବଦୁଲ ରେହମାନ ମକ୍କିର ନାମ ଯୋଡିଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଲ୍ କାଏଦା ପ୍ରତିବନ୍ଧକ କମିଟି ସୋମବାର ଏହି ନିଷ୍ପତ୍ତି ନେଇଛି । ଏହି ତାଲିକାରେ ସାମିଲ ଲୋକଙ୍କ ସମ୍ପତ୍ତି ଜବତ ସହ ସେମାନଙ୍କ ଉପରେ ଭ୍ରମଣ ଏବଂ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ କଟକଣା ଲଗାଯାଇଥାଏ।

ପୂର୍ବରୁ ଭାରତ ଓ ଆମେରିକା ମକ୍କିକୁ ଆତଙ୍କବାଦୀ ଘୋଷଣା କରିସାରିଛନ୍ତି। ମକ୍କି ପାଣ୍ଠି ସଂଗ୍ରହ, ତାଲିମ, ଯୁବକମାନଙ୍କୁ ହିଂସା ପାଇଁ ପ୍ରବର୍ତ୍ତାଇବା, ଭାରତରେ ବିଶେଷ କରି ଜମ୍ମୁ କାଶ୍ମୀରରେ ଆକ୍ରମଣ ଯୋଜନା କରିବାରେ ସମ୍ପୃକ୍ତ ଅଛି ।

ମକ୍କିକୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ଗତ ବର୍ଷ ଜୁନ୍ ମାସରେ ଭାରତ ଏବଂ ଆମେରିକା ତରଫରୁ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଚୀନ୍ ଶେଷ ମୁହୂର୍ତ୍ତରେ ଏହାକୁ ବ୍ଲକ କରି ଦେଇଥିଲା।

Comments are closed.