ପରିସ୍ରା କାଣ୍ଡ: ଜେଲ୍ ଗଲେ ଅଭିଯୁକ୍ତ ଶଙ୍କର ମିଶ୍ରା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ବେଙ୍ଗାଲୁରୁରୁ ଗିରଫ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ଦିଲ୍ଲୀ ପୋଲିସ ଶଙ୍କର ମିଶ୍ରାଙ୍କୁ ଶୁକ୍ରବାର ବେଙ୍ଗାଲୁରୁରୁ ଗିରଫ କରିବା ପରେ ଦିଲ୍ଲୀ ଆଣିଥିଲା । ଆଜି ସକାଳେ ତାଙ୍କୁ ଆଇଜି ପୋଲିସ ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଦିଲ୍ଲୀ ପୋଲିସ ଶଙ୍କର ମିଶ୍ରାଙ୍କ ୩ ଦିନ ରିମାଣ୍ଡ ମାଗିଥିଲା । ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ସେପଟେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କ ଓକିଲ ଦିଲ୍ଲୀର ପଟିଆଲା କୋର୍ଟରେ ଜାମିନ ଆବେଦନ କରିଛନ୍ତି । ଜାନୁଆରୀ ୧୧ରେ କୋର୍ଟ ଏହାର ଶୁଣାଣି କରିବେ। ଆଇଜି ବିମାନବନ୍ଦର ଡିସିପି ରବି ସିଂ କହିଛନ୍ତି ଯେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଗତକାଲି ରାତିରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ପରିସ୍ରା ଘଟଣାରେ ଦିଲ୍ଲୀ ପୋଲିସ ସଂପୃକ୍ତ ଏୟାର ଇଣ୍ଡିଆ ବିମାନର କ୍ରୁ ସଦସ୍ୟ ଏବଂ କିଛି ସହଯାତ୍ରୀଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ ଜାରି କରିଛି।

Comments are closed.