ଅଭିନେତା ସୁନୀଲ ଶେଣ୍ଡେଙ୍କ ପରଲୋକ | News Room Odisha

ଅଭିନେତା ସୁନୀଲ ଶେଣ୍ଡେଙ୍କ ପରଲୋକ

ମୁମ୍ବାଇ: ହିନ୍ଦୀ ଏବଂ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସୁନୀଲ ଶେଣ୍ଡେଙ୍କ ପରଲୋକ ହୋଇଯାଇଛି । ରବିବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ପତ୍ନୀ ଜ୍ୟୋତି, ଦୁଇ ପୁଅ, ବୋହୂ ଏବଂ ନାତିଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ସୁନୀଲ ଶେଣ୍ଡେ। ସୁନୀଲ ଶେଣ୍ଡେ ଲୋକପ୍ରିୟ ଟିଭି ସିରିଏଲ ‘ସର୍କସ’ରେ ଶାହାରୁଖ ଖାନଙ୍କ ବାପା ଚରିତ୍ରରେ ଅଭିନୟ କରିଥିଲେ | ଏହାଛଡ଼ା ସେ ୯୦ ଦଶକରେ ଦୂରଦର୍ଶନରେ ପ୍ରସାରିତ ଅନେକ ସିରିଏଲରେ କାମ କରିଥିଲେ |

ସୁନୀଲ ଶେଣ୍ଡେ ଆଜି ଘରେ ହଠାତ୍ ଅଚେତ ହୋଇ ପଡ଼ିଯାଇଥିଲେ । ରବିବାର ରାତି ପ୍ରାୟ ୧ ଟାରେ ଭିଲେ ପାର୍ଲ ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିଲା। ସୋମବାର ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ସୁନୀଲ ଶେଣ୍ଡେଙ୍କ ବିୟୋଗରେ ବଲିଉଡ୍ ଓ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଫିଲ୍ମ ‘ଗାନ୍ଧୀ’ ସହ ସୁନୀଲ ଶେଣ୍ଡେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କୁ ଏକ ଡ଼କାୟତ ଭୂମିକାରେ ଦେଖିବାକୁ ମିଳିଥିଲା | ୮୦ ଏବଂ ୯୦ ଦଶକରେ ଅନେକ ଚଳଚ୍ଚିତ୍ରରେ ସୁନୀଲ ଶେଣ୍ଡେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ | ତାଙ୍କ ଅଭିନୀତ ପ୍ରମୁଖ ହିନ୍ଦୀ ଫିଲ୍ମ ମଧ୍ୟରେ ‘ସରଫରୋଶ’, ‘ଗୁନାହ’, ‘ଖଳନାୟକ’ ଆଦି ରହିଛି | ସେ ଗତ କିଛି ଦିନ ହେବ ଇଣ୍ଡଷ୍ଟ୍ରିରୁ ଦୂରରେ ଥିଲେ।