ଆଦାନୀ ଗ୍ରୁପ୍-ହିଣ୍ଡେନବର୍ଗ ମାମଲା: ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ର ରାଜି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍-ହିଣ୍ଡେନବର୍ଗ ମାମଲାରେ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ସେୟାର ବଜାରର ରେଗୁଲେଟରୀ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଅଛି କି ନାହିଁ ତାହା କମିଟି ଅନୁଧ୍ୟାନ କରିବ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏକ ଜଉମୁଦ ଲଫାପାରେ କମିଟି ସଦସ୍ୟଙ୍କ ନାମ କୋର୍ଟକୁ ଦେବେ। ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ଦିନ ହେବ।

ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ସହ ଜଡ଼ିତ ଦୁଇଟି ଜନସ୍ୱାର୍ଥ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ଏହି ମାମଲାର ପ୍ରଥମ ଶୁଣାଣି ଶୁକ୍ରବାର (ଫେବୃଆରୀ ୧୦) ହୋଇଥିଲା। ଏହି ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିଂହା ଏବଂ ଜେ.ବି ପାର୍ଦ୍ଦିଓ୍ବାଲା ଭବିଷ୍ୟତରେ ନିବେଶକଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ପରାମର୍ଶ ଦେବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ କହିଥିଲେ। ସେବି ତରଫରୁ ହାଜର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସୋମବାର ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆଦାନୀ ଗ୍ରୁପ୍-ହିଣ୍ଡେନବର୍ଗ ବିବାଦ ନେଇ ଏହି ଦୁଇ ଜନସ୍ବାର୍ଥ ମାମଲା ଓକିଲ ଏମ.ଏଲ୍ ଶର୍ମା ଓ ବିଶାଲ ତିୱାରୀ ଦାୟର କରିଥିଲେ ।

ନିଜ ଆବେଦନରେ ମନୋହର ଲାଲ ଶର୍ମା ହିଣ୍ଡେନବର୍ଗ ରିସର୍ଚ୍ଚ ପ୍ରତିଷ୍ଠାତା ନାଥନ ଆଣ୍ଡରସନ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପାଇଁ ସେବି ଏବଂ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।

ଅନ୍ୟପକ୍ଷରେ ବିଶାଲ ତିୱାରୀ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରି ହିଣ୍ଡେନବର୍ଗ ରିପୋର୍ଟର ତଦନ୍ତ ଦାବି କରିଥିଲେ । ତିୱାରୀ ତାଙ୍କ ଆବେଦନରେ ସେୟାର ମୂଲ୍ୟ ହ୍ରାସ ହେଲେ ସାଧାରଣ ନିବେଶକଙ୍କ ଅବସ୍ଥା ଶୋଚନୀୟ ହୋଇଯିବ ବୋଲି ଯୁକ୍ତି କରିଥିଲେ ।

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୪ରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା ​​| ରିପୋର୍ଟରେ ମନି ଲଣ୍ଡରିଂ ଠାରୁ ଆରମ୍ଭ କରି ଜାଲିଆତି ନେଇ ଆଦାନୀ ଗ୍ରୁପ୍ ଉପରେ ଅଭିଯୋଗ କରାଯାଇଥିଲା। ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଥିଲା ।

Comments are closed.