ସ୍ମୃତି ଇରାନୀ ବି ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ: ‘ରାଷ୍ଟ୍ରପତ୍ନୀ’ ବିବାଦର କେନ୍ଦ୍ରରେ ଥିବା କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଇରାନୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି ଚୌଧୁରୀ ଅଭିଯୋଗ କରିଛନ୍ତି । ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଦେଇଥିବା ମନ୍ତବ୍ୟକୁ ହଟାଇବାକୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବାଚସ୍ପତି ଓମ ବିର୍ଲାଙ୍କୁ ଅପିଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦ ଯେଉଁଭଳି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନାମ ଉଚ୍ଚାରଣ କରୁଥିଲେ, ତାହା ତାଙ୍କ ପଦର ଗାରିମାକୁ ଆଘାତ ଦେଇଛି | ଲୋକସଭା ବାଚସ୍ପତିଙ୍କୁ ଲେଖିଥିବା ଏକ ପତ୍ରରେ ଆଧୀର ରଂଜନ କହିଛନ୍ତି ଯେ ଇରାନୀ ଗୃହରେ ରାଷ୍ଟ୍ରପତି ମୁର୍ମୁଙ୍କ ନାମ ନେବା ବେଳେ ଚିତ୍କାର କରୁଥିଲେ । ରାଷ୍ଟ୍ରପତିଙ୍କ ନାମ ଆଗରେ ସେ ମ୍ୟାଡାମ୍ କିମ୍ବା ଶ୍ରୀମତୀ ଶବ୍ଦ ବ୍ୟବହାର କରିନଥିଲେ |

ସେ କହିଛନ୍ତି, “ଏହା ସ୍ପଷ୍ଟ ଭାବେ ମାନ୍ୟବର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିବା ସହିତ ସମାନ ଅଟେ। ତେଣୁ ମୁଁ ଦାବି କରୁଛି ଯେ ସ୍ମୃତି ଇରାନୀ ସମ୍ମାନନୀୟା ରାଷ୍ଟ୍ରପତିଙ୍କୁ ଯେଉଁଭଳି ଭାବରେ ସମ୍ବୋଧିତ କରୁଥିଲେ, ତାହା ଗୃହ କାର୍ଯ୍ୟ ରେକର୍ଡରୁ ବାଦ୍ ଦିଆଯାଉ।”

ଏହାଛଡ଼ା ‘ରାଷ୍ଟ୍ରପତ୍ନୀ’ ବିବାଦ ସହ ସୋନିଆ ଗାନ୍ଧୀଙ୍କ କୌଣସି ସମ୍ପର୍କ ନ ଥିବାରୁ ତାଙ୍କ ନାମ ଉଲ୍ଲେଖ ଥିବା ଏହି ସମଗ୍ର ଅଧ୍ୟାୟକୁ ଗୃହ ପ୍ରକ୍ରିୟାରୁ ବାଦ୍ ଦେବାକୁ ମଧ୍ୟ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚୌଧୁରୀ ଅନୁରୋଧ କରିଛନ୍ତି ।

ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟକୁ ନେଇ ସଂସଦରେ ଝଡ଼ ସୃଷ୍ଟି ହୋଇଥିଲା। ଏପରି ମନ୍ତବ୍ୟ ପାଇଁ କେନ୍ଦ୍ର ମନ୍ତ୍ରୀ ଇରାନୀ ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କଠାରୁ କ୍ଷମାପ୍ରାର୍ଥନା ଦାବି କରିଥିଲେ। ସଂସଦରେ ଏବଂ ଭାରତର ରାସ୍ତାରେ କଂଗ୍ରେସ ଭାରତ ପ୍ରତ୍ୟେକ ନାଗରିକଙ୍କୁ କ୍ଷମା ମାଗିବାକୁ ପଡ଼ିବ ବୋଲି ଇରାନୀ ଦାବି କରିଥିଲେ ।

‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ବିବାଦ ବଢ଼ିବା ପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଥିଲେ ।

Comments are closed.