ବିବାଦ ପରେ ବଦଳିଲା ‘ଆଦିପୁରୁଷ’ର ସଂଳାପ, ‘ଜଲେଗି ତେରି ବାପ୍ କି’ ହେଲା ‘ଜଲେଗି ଭି ତେରି ଲଙ୍କା..’

ନୂଆଦିଲ୍ଲୀ: ବିବାଦ ପରେ ଚଳଚ୍ଚିତ୍ର ‘ଆଦିପୁରୁଷ’ର ନିର୍ମାତା ଫିଲ୍ମର କିଛି ଚରିତ୍ରମାନଙ୍କର ସଂଳାପ ବଦଳାଇଛନ୍ତି । ହଲ୍ ଗୁଡ଼ିକରେ ଏବେ ଏହି ଫିଲ୍ମର ନୂଆ ଭର୍ସନ ପ୍ରଦର୍ଶିତ ହେଉଛି ।

ଫିଲ୍ମରେ କିଛି ଦ୍ବିଅର୍ଥ ବୋଧକ ଓ ଟପୋରି ଶୈଳୀର ସଂଳାପକୁ ନେଇ ବିବାଦ ଉଠିଥିଲା । ଉଦାହରଣ ସ୍ୱରୂପ ହନୁମାନଙ୍କ ମୁ‌ହଁରେ ‘କପଡା ତେରେ ବାପ କା, ଜଲେଗି ଭି ତେରେ ବାପ କି …’ ପରି ସଂଳାପ ଶୁଣି ଦର୍ଶକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ବିବାଦ ମଧ୍ୟରେ ନିର୍ମାତାମାନେ ଫିଲ୍ମ ରିଲିଜର ପାଞ୍ଚ ଦିନ ପରେ ସଂଳାପ ପରିବର୍ତ୍ତନ କରିଛନ୍ତି।

ସଂଳାପ ‘କପଡା ତେରେ ବାପ୍ କା, ତେଲ୍ ତେରେ ବାପ୍ କା, ଆଗ୍ ଭି ତେରେ ବାପ୍ କି, ଔର ଜଲେଗି ଭି ତେରେ ବାପ୍ କି..’ ରେ ଏବେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଏହି ସଂଳାପରେ ‘ବାପ୍’ ବଦଳରେ ‘ଲଙ୍କା’ ଶବ୍ଦ ବ୍ୟବହାର କରାଯାଇଛି। ପରିବର୍ତ୍ତିତ ସଂଳାପ ହେଉଛି ‘କପଡା ତେରି ଲଙ୍କା କା, ତେଲ୍ ତେରି ଲଙ୍କା କା, ଆଗ ଭି ତେରି ଲଙ୍କା କି.. ଔର ଜଲେଗି ଭି ତେରି ଲଙ୍କା…।’

ଏହି ସଂଳାପ ସହ ଫିଲ୍ମର ଅନ୍ୟ କେତୋଟି ବିବାଦୀୟ ସଂଳାପ ମଧ୍ୟ ବଦଳିଛି ।

ଦର୍ଶକଙ୍କ ଆପତ୍ତି ଓ ବିବାଦ ଦୃଷ୍ଟିରୁ ‘ଆଦିପୁରୁଷ’ର ନିର୍ମାତାମାନେ ସଂଳାପ ବଦଳାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ମନୋଜ ମୁନ୍ତାଶିର ହେଉଛନ୍ତି ଏହି ଫିଲ୍ମର ସଂଳାପ ଲେଖକ । ଚଳଚ୍ଚିତ୍ରରେ ଏପରି ଆପତ୍ତିଜନକ ସଂଳାପ ନେଇ ମୁନ୍ତାଶିର ସମାଲୋଚନାର ପାତ୍ର ହୋଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ସେ ମୁମ୍ବାଇ ପୋଲିସକୁ ସୁରକ୍ଷା ମାଗିଥିଲେ ।

‘ଆଦିପୁରୁଷ’ ର ବିବାଦୀୟ ସଂଳାପକୁ ମୁନ୍ତାଶିର ପ୍ରଥମେ ଯଥାର୍ଥ ବୋଲି କହିଥିଲେ । ହେଲେ ସମାଲୋଚିତ ହେବା ପରେ ସଂଳାପରେ ପରିବର୍ତ୍ତନ କରାଯିବ ବୋଲି କହିଥିଲେ। ସେ ଲେଖିଛନ୍ତି, ‘ମୁଁ ମୋର ସଂଳାପ ସପକ୍ଷରେ ଅଗଣିତ ଯୁକ୍ତି ଦେଇପାରେ, କିନ୍ତୁ ଏହା ଆପଣଙ୍କ ଯନ୍ତ୍ରଣାକୁ ହ୍ରାସ କରିବ ନାହିଁ। ମୁଁ ଏବଂ ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ନିଷ୍ପତ୍ତି ନେଇଛୁ ଯେ ଯେଉଁ କିଛି ସଂଳାପ ଆପଣ(ଦର୍ଶକ)ଙ୍କୁ ଆଘାତ ଦେଉଛି, ଆମେ ସେଗୁଡିକୁ ସଂଶୋଧନ କରିବୁ ।

ରିଲିଜର ପ୍ରଥମ ଦୁଇ ଦିନ ଭଲ ବ୍ୟବସାୟ କରିବା ପରେ ‘ଆଦିପୁରୁଷ’ ବକ୍ସ ଅଫିସରେ ଧିମେଇ ଯାଇଛି । ଗତ ଦୁଇ ଦିନରେ ଫିଲ୍ମର ଆୟରେ ବଡ଼ ଧରଣର ହ୍ରାସ ଘଟିଛି । ପ୍ରାୟ ୫୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ପ୍ରଥମ ପାଞ୍ଚ ଦିନରେ ବିଶ୍ବବ୍ୟାପୀ ୩୯୫ ଟଙ୍କାର ବ୍ୟବସାୟ କରିଛି।

Comments are closed.