ଟିମ୍ ‘ଆରଆରଆର’କୁ ଅଭିନନ୍ଦନ ଜଣାଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ଆପତ୍ତି ଉଠାଇଲେ ଅଦନାନ୍ ସାମି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀ ‘ନାଟୁ ନାଟୁ..’ ଗୀତ ପାଇଁ ଗୋଲଡେନ୍ ଗ୍ଲୋବ୍ସ ପୁରସ୍କାର ଜିତିଥିବା ଟିମ୍ ‘ଆରଆରଆର’କୁ ଅଭିନନ୍ଦନ ଜଣାଇଛନ୍ତି |

ସେ ଏକ ଟ୍ବିଟ୍ କରି କହିଛନ୍ତି ଯେ “ତେଲୁଗୁ ପତାକା ଉଚ୍ଚରେ ଉଡୁଛି। ଆନ୍ଧ୍ର ପ୍ରଦେଶ ତରଫରୁ ଏମ୍ଏମ୍ କୀରବାନି, ଏସ୍ଏସ୍ ରାଜାମୌଲି, ଜୁନିଅର ଏନଟିଆର, ରାମ ଚରଣ ଏବଂ ଆରଆରଆର’ର ପୁରା ଟିମକୁ ଅଭିନନ୍ଦନ। ଆମେ ଆପଣଙ୍କ ପାଇଁ ଗର୍ବିତ।”

ଜଗନ୍ ମୋହନଙ୍କ ଟ୍ୱିଟର ଜବାବରେ ଫିଲ୍ମର ଅନେକ ସଦସ୍ୟ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ତେବେ ଗାୟକ ଅଦନାନ୍ ସାମି ଜଗନ୍ ମୋହନଙ୍କ ଟ୍ୱିଟ୍ ଉପରେ ପ୍ରଶ୍ନ ଉଠାଇଥିଲେ। ଅଦନାନଙ୍କ କହିବାନୁସାରେ, ‘ତେଲୁଗୁ ପତାକା’ କହିବା ଭୁଲ୍।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ଉପରେ ପ୍ରତିକ୍ରିୟା ରଖି ଅଦନାନ୍ ସାମି ଲେଖିଛନ୍ତି, “ତେଲୁଗୁ ପତାକା? ଆମେ ପ୍ରଥମେ ଭାରତୀୟ । ତେଣୁ ଏହି ଦେଶରୁ ନିଜର ଅଲଗା ପରିଚୟ ସୃଷ୍ଟି କରିବା ବନ୍ଦ କରନ୍ତୁ, ବିଶେଷ କରି ଆନ୍ତର୍ଜାତୀୟ ସ୍ତରରେ । ଆମେ ଗୋଟିଏ ଦେଶ। ଯେପରି ଆମେ ୧୯୪୭ ରେ ଦେଖିଥିଲୁ ଏଭଳି ‘ବିଚ୍ଛିନ୍ନତାବାଦୀ’ ଆଭିମୁଖ୍ୟ କ୍ଷତିକାରକ ହୋଇପାରେ । ଧନ୍ୟବାଦ .. ଜୟ ହିନ୍ଦ୍ ।”

ଟ୍ୱିଟରରେ ବହୁ ଲୋକ ଅଦନାନ୍ ସାମିଙ୍କ ଯୁକ୍ତିକୁ ସମର୍ଥନ କରିଛନ୍ତି । କିନ୍ତୁ ଅନେକ ଲୋକ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନଙ୍କୁ ମଧ୍ୟ ସମର୍ଥନ କରିଥିଲେ । ସେମାନେ କହିଥିଲେ ଯେ ଜଗନ୍ କିଛି ଭୁଲ୍ କହିନାହାଁନ୍ତି । ଆରଆରଆର ଏକ ‘ତେଲୁଗୁ ଫିଲ୍ମ ହୋଇଥିବାରୁ ସେ ‘ତେଲୁଗୁ ପତାକା’ ଶବ୍ଦ ବ୍ଯବହାର କରିଛନ୍ତି ।

Comments are closed.