ବିଶ୍ୱକପରେ ‌ବଡ଼ ବିପର୍ଯ୍ୟୟ, ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ପ୍ରଥମ ଦୁଇଟି‌ ମ୍ୟାଚ୍ ହାରିଥିବା ଆଫଗାନିସ୍ତାନ ରବିବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ୬୯ ରନରେ ହରାଇ ଦେଇଛି । ରହମନୁଲ୍ଲା ଗୁରୁବାଜଙ୍କ ବିସ୍ଫୋରକ ବ୍ୟାଟିଂ ପରେ ସ୍ପିନରମାନେ ଆଫଗାନିସ୍ତାନକୁ ଦେଇଛନ୍ତି ଏହି ଐତିହାସିକ ତଥା ସ୍ମରଣୀୟ ବିଜୟ । ଏହାମଧ୍ୟ ୨୦୧୫ ପରେ ବିଶ୍ବକପରେ ଆଫଗାନିସ୍ତାନର ପ୍ରଥମ ବିଜୟ । ମୋଟ ଉପରେ ଏହା ବିଶ୍ବକପରେ ଆଫଗାନିସ୍ତାନରେ କେବଳ ଦ୍ଵିତୀୟ ବିଜୟ ।

ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ହେଲେ ସେ ସ୍ବପ୍ନରେ ସୁଦ୍ଧା ଭାବିନଥିବେ ଯେ ଏହି ନିଷ୍ପତ୍ତି ତାଙ୍କ ପାଇଁ ବୁମେରାଂ ହେବ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଗୁରବାଜ ଆଫଗାନିସ୍ତାନକୁ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ସେ ୫୭ ବଲରେ ୮ଟି ଚୌକା ଓ ୪ଟି ଛକା ସହ ୮୦ ରନ୍ କରିଥିଲେ । ଗୁରୁବାଜଙ୍କ ସହ ଇର୍କାମ୍ ଅଲିଖିଲି ୫୮ ରନ୍ କରିଥିବା ବେଳେ ମୁଜିବ ଉର୍ ରହମାନ(୨୮) ଓ ରସିଦ ଖାନ(୨୩) ଶେଷ ଆଡକୁ ଉପଯୋଗୀ ଯୋଗଦାନ କରିଥିଲେ । ଫଳରେ ଆଫଗାନିସ୍ତାନ ୪୯.୫ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ୨୮୪ ରନ୍ କରିଥିଲା ।

ଶକ୍ତିଶାଳୀ ଇଂଲଣ୍ଡ ଏହି ବିଜୟଲକ୍ଷ୍ୟକୁ ସହଜରେ ହାସଲ କରିନେବ ବୋଲି ମନେ କରାଯାଉଥିଲା । ହେଲେ ଇଂଲଣ୍ଡ ଆଫଗାନ ସ୍ପିନରଙ୍କ ଜାଲରେ ଫସିଯାଇଥିଲା । ୨୮୫ ରନର‌ ବିଜୟଲକ୍ଷ୍ୟ ଜବାବରେ ଇଂଲଣ୍ଡ ୪୦.୩ ଓଭରରେ ୨୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ହ୍ୟାରି ବ୍ରୁକ୍ ସର୍ବାଧିକ ୬୬ ରନ୍ କରିଥିବା ବେଳେ ଡେବିଡ୍ ମାଲାନ ୩୨ ରନ୍ କରିଥିଲେ ‌। ଆଫଗାନିସ୍ତାନ ତରଫରୁ ମୁଜିବ ଉର୍ ରହମାନ ଓ ରସିଦ ଖାନ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ନବି ୨ଟି ଓ୍ବିକେଟ୍ ପାଇଥିଲେ । ଏହାଛଡ଼ା ଦ୍ରୁତ ବୋଲର ଫାରୁକି ଓ ନବୀନ ଉଲ୍ ହକ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଚଳିତ ବିଶ୍ୱକପରେ ଇଂଲଣ୍ଡର ଏହା ତିନୋଟି ମ୍ୟାଚରୁ ଦ୍ବିତୀୟ ପରାଜୟ ।‌ ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚରୁ ଆଫଗାନିସ୍ତାନର‌ ପ୍ରଥମ ବିଜୟ ।

Comments are closed.