ଆଫଗାନିସ୍ତାନର ହ୍ୟାଟ୍ରିକ୍ ବିଜୟ, ନେଦରଲ୍ୟାଣ୍ଡସକୁ ୭ ଓ୍ବିକେଟରେ ହରାଇଲା

ଲକ୍ଷ୍ନୌ: ଦିନିକିଆ ବିଶ୍ୱକପରେ ଶୁକ୍ରବାର ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୭ ୱିକେଟରେ ହରାଇଛି ଆଫଗାନିସ୍ତାନ। ଚଳିତ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ଏହା ହ୍ୟାଟ୍ରିକ୍ ଓ ମୋଟ ଚତୁର୍ଥ ବିଜୟ । ଏଥିସହ ଦଳ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି ।

ଟସ୍ ଜିତି ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡସ ୪୬.୩ ଓଭରରେ ୧୭୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଚାରିଟି ରନ୍ ଆଉଟ୍ ଦଳକୁ ମହଙ୍ଗା ପଡ଼ିଥିଲା। ଏହି ସାଧାରଣ ବିଜୟ ଲକ୍ଷ୍ୟକୁ ଆଫଗାନିସ୍ତାନ ୩୧.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ଅଧିନାୟକ ହାଶମତୁଲ୍ଲା ଶାହିଦି ଅପରାଜିତ ୫୬ ରନ୍ ଏବଂ ରହମତ ଶାହା ୫୨ ରନ୍ କରିଥିଲେ । ଆଜମତୁଲ୍ଲା ଓମରଜାଇ ୩୧ ରନରେ ଅପରାଜିତ ରହିଥିଲେ ।

ଏହି ବିଜୟ ସହିତ ଆଫଗାନିସ୍ତାନ ସେମିଫାଇନାଲ ଦୌଡ଼ରେ ରହିଛି । ଦଳ ୭ଟି ମ୍ୟାଚରେ ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି | ଆଫଗାନିସ୍ତାନର ପାଖରେ ଏବେ ୮ ପଏଣ୍ଟ ରହିଛି। ଦଳ ଗତ ୨ଟି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ୱିକେଟ୍ ଏବଂ ପାକିସ୍ତାନକୁ ୮ ୱିକେଟରେ ହରାଇଥିଲା । ଏହା ପୂର୍ବରୁ ଆଫଗାନିସ୍ତାନ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ମଧ୍ୟ ଧରାଶାୟୀ କରିଥିଲା ।

ଅନ୍ୟପକ୍ଷରେ ନେଦରଲାଣ୍ଡସର ଏହା ୭ଟି ମ୍ୟାଚରୁ ପଞ୍ଚମ ପରାଜୟ । ଦଳ ଏବେ ପଏଣ୍ଟ୍ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।

ନେଦରଲାଣ୍ଡସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଭଲ ଆରମ୍ଭ କରିଥିଲା । ହେଲେ ୪ ଜଣ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ନେଦରଲାଣ୍ଡସ ତରଫରୁ ସାଇବ୍ରାଣ୍ଡ ଏଙ୍ଗେଲବ୍ରେଟ୍ ସର୍ବାଧିକ ୫୮ ରନ୍ କରିଥିବା ବେଳେ ମ୍ୟାକ୍ସ ଓ’ ଦୌଦ୍ ୪୨ ଓ କଲିନ୍ ଆକେରମ୍ୟାନ୍ ୨୯ ରନ୍ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଭେଟେରାନ ସ୍ପିନର ମହମ୍ମଦ ନବୀ ୩ଟି ଓ ନୁର ଅହମ୍ମଦ ୨ଟି ୱିକେଟ୍ ନେଇଥିଲେ। ନବୀନ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

Comments are closed.