ଜର୍ମାନୀ ପରେ କେଜ୍ରିୱାଲଙ୍କ ଗିରଫଦାରି ନେଇ ଆମେରିକାର ପ୍ରତିକ୍ରିୟା, କହିଲା ନିରପେକ୍ଷ ନ୍ୟାୟିକ ପ୍ରକ୍ରିୟା ଆଶା କରୁଛୁ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କେଜ୍ରିୱାଲଙ୍କ ଗିରଫଦାରି ନେଇ ଜର୍ମାନୀ ପରେ ଏବେ ଆମେରିକା ପ୍ରତିକ୍ରିୟା ରଖିଛି। ଭାରତର ଜଣେ ପ୍ରମୁଖ ବିରୋଧୀଦଳ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଆମେ ନଜର ରଖିଛୁ ବୋଲି ‌କ‌ହିଛି‌ ଆମେରିକା ।

ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଆମେ ଭାରତର ପ୍ରମୁଖ ବିରୋଧୀ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଘଟଣା ଉପରେ ନଜର ରଖିଛୁ । ଏହି ମାମଲାରେ ନ୍ୟାୟିକ ପ୍ରକ୍ରିୟା ସଠିକ୍, ସ୍ଵଚ୍ଛ ଓ ନିରପେକ୍ଷ ରହିବ ବୋଲି ଆମେ ଆଶା କରୁଛୁ।

ନିକଟରେ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଜର୍ମାନୀ ଚିନ୍ତା ପ୍ରକଟ କରିଥିଲା । ତେବେ ଜର୍ମାନୀର ବୟାନ ପରେ ଭାରତ ଜର୍ମାନ ରାଷ୍ଟ୍ରଦୂତଙ୍କୁ ଡକାଇ ତୀବ୍ର ପ୍ରତିବାଦ ଜଣାଇଥିଲା । ଜର୍ମାନୀର ପ୍ରତିକ୍ରିୟା ଆମ ଆଭ୍ୟନ୍ତରୀଣ ବ୍ୟାପାର ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି କହିଥିଲା ଭାରତ ।

ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ପଦରେ ଥାଇ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସେ ଇଡି ହାଜତରେ ଅଛନ୍ତି। ତାଙ୍କ ଇଡି ହାଜତ ମିଆଦ ମାର୍ଚ୍ଚ ୨୮ରେ ଶେଷ ହେଉଛି । ତାଙ୍କ ଗିରଫଦାରିକୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତିି । ଆସନ୍ତାକାଲି ଏହାର ଶୁଣାଣି ହେବ।

Comments are closed.