ଟେଷ୍ଟ ପରେ ଦିନିକିଆ ସିରିଜ୍ ବି ହାରିଲା ଭାରତ, ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍ରେ ବିଜୟୀ

ପାର୍ଲ: ପ୍ରଥମ ଦିନିକିଆ ପରେ ଦ୍ୱିତୀୟ ଦିନିକିଆରେ ମଧ୍ୟ ଯୁବ ଦକ୍ଷିଣ ଆଫ୍ରିକା ଦଳର ଚ୍ୟାଲେଞ୍ଜ ପ୍ରତିହତ କରିବାରେ ବିଫଳ ହୋଇଛି ଟିମ୍ ଇଣ୍ଡିଆ । ଜେନମ୍ୟାନ୍ ମାଲାନ୍ ଓ କ୍ୱିଣ୍ଟନ ଡି’କକଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ଶୁକ୍ରବାର ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଭାରତକୁ ୭ ୱିକେଟରେ ହରାଇଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି । ଏହି ଗସ୍ତ ପୂର୍ବରୁ ଭାରତ ଉଭୟ ଟେଷ୍ଟ ଓ ଦିନିକିଆ ସିିରିଜ୍ ଜିତିବାକୁ ଫେଭରିଟ୍ ବିବେଚିତ ହେଉଥିଲା । ହେଲେ ଦକ୍ଷିଣ ଆଫ୍ରିକାର ଯୁବ ଅନଭିଜ୍ଞ ଦଳ ଭାରତର ଅନେକ ଦୁର୍ବଳତା ପଦାରେ ପକାଇ ଦେଇଛି । ଟେଷ୍ଟ ପରେ ଏବେ ଦିନିକିଆ ସିରିଜରେ ବି ଭାରତକୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି ।

ଅଧିନାୟକ କେଏଲ ରାହୁଲ ଓ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୨୮୭ ରନ୍ କରିଥିଲା । ହେଲେ ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ସହଜରେ ହାସଲ କରିନେଇଥିଲା । ୨୮୮ ରନର ବିଜୟଲକ୍ଷ୍ୟ ଜବାବରେ ମାଲାନ୍ ଓ ଡି’କକ୍ ଏକ ଧମାକାଦାର ଷ୍ଟାର୍ଟ ଦେଇଥିଲେ । ଉଭୟ ପ୍ରଥମ ୱିକେଟ ଭାଗିଦାରୀରେ ୧୩୨ ରନ୍ ଯୋଗ କରି ଦଳର ବିଜୟ ସହଜ କରିଥିଲେ । ମାଲାନ୍ ୧୦୮ ବଲରେ ୮ଟି ଚୌକା ଓ ଗୋଟିଏ ଛକା ସହ ୯୧ ରନ୍ କରିଥିବା ବେଳେ ଡି’କକ୍ ୬୬ ବଲରେ ୭ଟି ଚୌକା ଓ ୩ଟି ଛକା ସହାୟତାରେ ଚିତ୍ତାକର୍ଷକ ୭୮ ରନ୍ କରିଥିଲେ । ଅଧିନାୟକ ତେମ୍ବା ବାଭୁମା ୩୫ ରନ୍ କରିଥିବା ବେଳେ ଏଡେନ୍ ମାର୍କରମ ଓ ରାସି ଭାନ୍ ଡର ଡୁସେନ୍ ଔପଚାରିକତା ପୂରଣ କରିଥିଲେ । ମାର୍କରମ୍ ୩୭ ଓ ଡୁସେନ୍ ୩୭ ରନ୍ କରି ଅପରାଜିତ ରହିଥିଲେ ।

ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍ନର ତଥା କ୍ୟାପଟେନ୍ ଲୋକେଶ ରାହୁଲ ଓ ଶିଖର ଧୱନ୍ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ପ୍ରଥମ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିବା ଧୱନ୍ ପୁଣିଥରେ ଭଲ ଆରମ୍ଭ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ଧୱନ୍ ୨୯ ରନ୍ କରି ଏଡେନ୍ ମାର୍କରମଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିରାଟ୍ କୋହଲି ୫ ବଲର ସାମ୍ନା କରିଥିଲେ ହେଁ ଖାତା ଖୋଲିପାରିନଥିଲେ। ତାଙ୍କୁ ସ୍ପିନର କେଶବ ମହାରାଜ ଆଉଟ୍ କରିଥିଲେ।

କୋହଲିଙ୍କ ଆଉଟ୍ ପରେ ଭାରତର ରନ୍ ଗତି ଧିମା ପଡ଼ିଥିଲା। ହେଲେ ଋଷଭ ପନ୍ତ ଚୌକା ଓ ଛକା ମାରି ପୁଣିଥରେ ରନ୍ ଗତି ବଢ଼ାଇଥିଲେ। ପନ୍ତ ମାତ୍ର ୪୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିବା ବେଳେ ରାହୁଲ୍ ୭୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ଧିମା ବ୍ୟାଟିଂ କରିଥିଲେ ହେଁ ପନ୍ତଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ଶତକୀୟ (୧୧୫) ପାର୍ଟନରଶିପ୍ କରି ଭାରତକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ।
ରାହୁଲ ବ୍ୟକ୍ତିଗତ ୫୫ ରନ୍ କରି ସିସାନ୍ଦା ମଗଲାଙ୍କ ଶିକାର ହୋଇଥିଲେ। ପରେ ପରେ ପନ୍ତ ମଧ୍ୟ ନିଜ ୱିକେଟ୍ ହରାଇ ବସିଥିଲେ। ପନ୍ତ ୮୫ (୭୧ ବଲ୍, ୧୦ ଚୌକା, ୨ ଛକା) ରନ୍ କରି ତବରେଜ୍ ଶାମସୀଙ୍କ ବଲରେ ଆଉଟ୍ ହୋଇଥିଲେ।

ଶ୍ରେୟସ୍ ଆୟର୍ (୧୧) ପୁଣିଥରେ ସୁଯୋଗ ଫାଇଦା ଉଠାଇବାରେ ବିଫଳ ହୋଇଥିଲେ। ତାଙ୍କୁ ମଧ୍ୟ ଶାମସୀ ଆଉଟ୍ କରିଥିଲେ। ନିଜର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ଖେଳୁଥିବା ଭେଙ୍କଟେଶ୍ ଆୟର୍ ୨୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।
ଶାର୍ଦ୍ଦୁଲ ଠାକୁର ପୁଣିଥରେ ଦମଦାର ବ୍ୟାଟିଂ କରିଥିଲେ ଏବଂ ତାଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନଙ୍କର ଖୁବ୍ ଯୋଗଦାନ ମଧ୍ୟ ମିଳିଥିଲେ। ଦୁହେଁ ସପ୍ତମ ୱିକେଟ୍ ପାଇଁ ୪୮ ରନ୍ ଯୋଡ଼ି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ୩୮ ବଲରେ ୩ ଚୌକା ଓ ୧ ଛକା ସହ ୪୦ ଓ ଅଶ୍ୱିନ୍ ୨୫ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶାମସୀ ୨ଟି, ମଗଲା, ମାର୍କରମ୍, କେଶବ ମହାରାଜ ଓ ଆଣ୍ଡିଲେ ଫେଲୁକୱାୟୋ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Comments are closed.