ବିଜେପି ସହ ସମ୍ପର୍କ ଛିନ୍ନ କଲା ଏଆଇଏଡିଏମକେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ବିଜେପି ସହ ସମ୍ପର୍କ ଛିନ୍ନ କରିଛି ଏଆଇଏଡିଏମକେ । ଦ୍ରାବିଡ ନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିକେ ଆନ୍ନାଦୁରାଇଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ନେଇ ଦୁଇ ଦଳ ମଧ୍ୟରେ ଦେଖାଦେଇଥିବା ତିକ୍ତତା ମଧ୍ୟରେ ଏଆଇଏଡିଏମକେ ବିଜେପି ସହ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି । ଦଳର ନେତା ଡି ଜୟକୁମାର କହିଛନ୍ତି ଯେ ବିଜେପି ସହ ତାଙ୍କ ଦଳ କୌଣସି ମେଣ୍ଟରେ ନାହିଁ।

ଦ୍ରାବିଡ଼ ଭେଟେରାନ ସିଏ ଆନ୍ନାଦୁରାଇଙ୍କ ସମାଲୋଚନା ନେଇ ଡି ଜୟକୁମାର ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇଙ୍କୁ ଟାର୍ଗେଟ୍ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆନ୍ନାଦୁରାଇଙ୍କ ଅପମାନକୁ ତାଙ୍କ ଦଳର କର୍ମୀମାନେ ବରଦାସ୍ତ କରିବେ ନାହିଁ ବୋଲି ସେ କହିଛନ୍ତି। ଡି ଜୟକୁମାର ଆହୁରି କହିଛନ୍ତି ଯେ ବିଜେପି ସହ ଏବେ କୌଣସି ମେଣ୍ଟ ନାହିଁ । ନିର୍ବାଚନ ବେଳକୁ ଏହା ଉପରେ ନିଷ୍ପତ୍ତି ନିଆଯିବ।

ସେ କହିଛନ୍ତି, “ଅନ୍ନାମଲାଇ ଏଆଇଏଡିଏମକେ ସହିତ ମେଣ୍ଟ କରିବାକୁ ଚାହୁଁନାହାଁନ୍ତି, ଯଦିଓ ବିଜେପି କର୍ମୀମାନେ ଏହା ଚାହୁଁଛନ୍ତି। ଆମ ନେତାଙ୍କ ସମାଲୋଚନାକୁ ଆମେ ବରଦାସ୍ତ କରିବା ଉଚିତ୍ କି? ତେବେ ଆମେ କାହିଁକି ଆପଣଙ୍କ ସହ ରହିବୁ ? ବିଜେପି ଏଠାରେ ପାଦ ଦେଇପାରିବ ନାହିଁ। ସମସ୍ତେ ଆପଣ(ବିଜେପି)ଙ୍କ ଭୋଟ୍ ବ୍ୟାଙ୍କ ଜାଣନ୍ତି | ଆମ ଯୋଗୁଁ ଆପଣଙ୍କୁ ଲୋକେ ଚିହ୍ନୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଏହାକୁ ଆଉ ବରଦାସ୍ତ କରିପାରିବୁ ନାହିଁ। ଯେତେ ଦୂର ମେଣ୍ଟ କଥା ଉଠୁଛି ଏହା ଆଉ ନାହିଁ। ବିଜେପି ସହ ନାହିଁ ଏଆଇଏଡିଏମକେ। କେବଳ ନିର୍ବାଚନ ସମୟରେ ଏନେଇ (ମେଣ୍ଟ) ନିଷ୍ପତ୍ତି ନିଆଯାଇପାରେ। ଏହା ଆମର ଷ୍ଟାଣ୍ଡ। ” ଯେତେବେଳେ ଡି ଜୟକୁମାରଙ୍କୁ ପଚରାଯାଇଥିଲା ଯେ ଏହା ତାଙ୍କର ବ୍ୟକ୍ତିଗତ ମତ କି ? ସେ କହିଥିଲେ, “ ମୁଁ କେବଳ ପାର୍ଟି ନିଷ୍ପତ୍ତି ଅନୁଯାୟୀ କହୁଛି। ”

ଡି ଜୟକୁମାର କହିଛନ୍ତି, ବିଜେପି ସହ ମେଣ୍ଟ ଭାଙ୍ଗିଲେ ଏଆଇଏଡିଏମକେର କିଛି କ୍ଷତି ହେବନି । ବରଂ ବିଜେପିର ବହୁତ କ୍ଷତି ହେବ । ଏଆଇଏଡିଏମକେ ବିନା ବିଜେପି ଓ ଆନ୍ନମଲାଇ ନିର୍ବାଚନରେ ଶୋଚନୀୟ ଭାବେ ହାରିବେ ।

Comments are closed.