ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ, ୩୦ ଦିନ ପାଇଁ ଯାତ୍ରା କଟକଣା ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଆକ୍ସନ୍ ନେଇଛି ଏୟାର ଇଣ୍ଡିଆ । ତାଙ୍କ ଉପରେ ଏୟାର ଇଣ୍ଡିଆ ୩୦ ଦିନ ପାଇଁ ଯାତ୍ରା କଟକଣା ଲଗାଇଛି । ବ୍ୟକ୍ତି ଜଣକ ନଭେମ୍ବର ୨୦୨୨ରେ ନ୍ୟୁୟର୍କ-ଦିଲ୍ଲୀ ଫ୍ଲାଇଟର ବିଜିନେସ୍ କ୍ଲାସରେ ଯାତ୍ରା କରୁଥିବା ବେଳେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତିଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଘଟଣା ସମ୍ପର୍କରେ ଡିଜିସିଏଙ୍କୁ ଅବଗତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ୨୬ ନଭେମ୍ବର ୨୦୨୨ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ଫ୍ଲାଇଟରେ ଏହି ଘଟଣା ଘଟିଥିଲା । ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ | ମହିଳା ଜଣକ ବିଜିନେସ୍ କ୍ଲାସରେ ଯାତ୍ରା କରୁଥିଲେ। ତାଙ୍କର ଜଣେ ସହଯାତ୍ରୀ ହଠାତ୍ ମହିଳାଙ୍କ ସିଟ୍ ନିକଟକୁ ଆସି ତାଙ୍କ ଉପରେ ପରିସ୍ରା କରିଥିଲେ। ଏହାପରେ ସେ ସେଠାରେ କିଛି ସମୟ‌ ଠିଆ ହୋଇ ରହିଥିଲେ ଓ ମହିଳାଙ୍କୁ ତାଙ୍କର ପ୍ରାଇଭେଟ୍ ପାର୍ଟ ଦେଖାଇଥିଲେ ।

ମହିଳା ଜଣକ ଏହି ଘଟଣା ନେଇ କ୍ୟାବିନ କ୍ରୁ’ଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ଉକ୍ତ ଯାତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ବରଂ ଏକ ଡିସ୍ଇନଫେକ୍ଟଟାଣ୍ଟ ଆଣି ତାଙ୍କ ଜୋତା ଓ ଲୁଗାରେ ସ୍ପ୍ରେ କରି ଚାଲି ଯାଇଥିଲେ । ବିମାନ ଦିଲ୍ଲୀରେ ପହଞ୍ଚିବା ପରେ ମଧ୍ୟ ଅଭିଯୁକ୍ତ ବ୍ୟକ୍ତିଙ୍କୁ ସହଜରେ ଛାଡ଼ି ଦିଆଯାଇଥିଲା । ମହିଳା ଜଣକ ବାଧ୍ୟ ହୋଇ ଏୟାର ଇଣ୍ଡିଆ ସିଇଓ ଏନ୍ ଚନ୍ଦ୍ରଶେଖରନଙ୍କୁ ଚିଠି ଲେଖିବା ପରେ ଏହି ଘଟଣାର ତଦନ୍ତ ପାଇଁ ଏୟାର ଇଣ୍ଡିଆ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା । ଦିଲ୍ଲୀ ପୋଲିସ ମଧ୍ୟ ଏହି ମାମଲାରେ ଏକ କେସ୍ ରୁଜୁ କରିଛି।

ଏହାପୂର୍ବରୁ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଛି ବୋଲି ଏୟାର ଇଣ୍ଡିଆ କହିଥିଲା । ଅଭିଯୁକ୍ତ ପୁରୁଷ ଯାତ୍ରୀଙ୍କୁ ‘ନୋ ଫ୍ଲାଏ ଲିଷ୍ଟ’ରେ ରଖିବାକୁ ସୁପାରିଶ କରାଯାଇଥିବା ଏୟାରଲାଇନ ପକ୍ଷରୁ କୁହାଯାଇଥିଲା । ଅନ୍ୟପକ୍ଷରେ ଡିଜିସିଏ ଏହି ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ଠାରୁ ରିପୋର୍ଟ ମାଗିଛି। ଯେଉଁମାନେ ନିଜ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିସିଏ କହିଛି ।

Comments are closed.