ଅଜୟ କୁମାର ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ

ନୂଆଦିଲ୍ଲୀ: କଂଗ୍ରେସ ସଂଗଠନରେ ଶନିବାର ବଡ଼ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ସହ ୧୨ ରାଜ୍ୟ ପ୍ରଭାରୀ ବଦଳିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡାକ୍ତର ଅଜୟ କୁମାରଙ୍କୁ ନିଯୁକ୍ତ କରିଛି ଦଳ । ସେ ଚେଲ୍ଲା କୁମାରଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପକ୍ଷରେ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ ଦାୟିତ୍ଵ ଦିଆଯାଇଛି।

ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ସାଧାରଣ ସମ୍ପାଦକ ସହ ଛତିଶଗଡର ଦାୟିତ୍ୱରେ ରଖାଯାଇଛି | ଉତ୍ତର ପ୍ରଦେଶ ପ୍ରଭାରୀ ଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ଏଆଇସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛି ଦଳ । କିନ୍ତୁ ଏବେ ତାଙ୍କୁ କୌଣସି ରାଜ୍ୟର ଦାୟିତ୍ୱ ଦିଆଯାଇ ନାହିଁ ।

ପ୍ରିୟଙ୍କା ଗାନ୍ଧୀ ଗତ ପାଞ୍ଚ ବର୍ଷ ଧରି ଉତ୍ତର ପ୍ରଦେଶ ପ୍ରଭାରୀ ଦାୟିତ୍ୱରେ ଥିଲେ। ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ଦଳର ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

କେସି ବେଣୁଗୋପାଳ କଂଗ୍ରେସର ସାଂଗଠନିକ ସାଧାରଣ ସମ୍ପାଦକ ରହିବେ । ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ଦଳର ଯୋଗାଯୋଗ ବିଭାଗର ଦାୟିତ୍ୱ ବଜାୟ ରଖିଛନ୍ତି। ଅଜୟ ମାକେନ୍ ପାର୍ଟି କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ ଜାରି ରଖିବେ। ତାଙ୍କ ସହ ଦୁଇ ନେତା ମିଲିନ୍ଦ ଦେଓରା ଏବଂ ବିଜୟ ଇନ୍ଦର ସିଙ୍ଗାଲାଙ୍କୁ ମିଳିତ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି।

Comments are closed.