ସବୁ ରାଜ୍ୟରେ ଏନ୍ଆଇଏ କାର୍ଯ୍ୟାଳୟ ଖୋଲିବାକୁ କେନ୍ଦ୍ରର‌ ଘୋଷଣା, ଆପତ୍ତି ଉଠାଇଲା ଅକାଳି ଦଳ

ଚଣ୍ଡିଗଡ଼: ସବୁ ରାଜ୍ୟରେ କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥା (ଏନ୍ଆଇଏ)ର କାର୍ଯ୍ୟାଳୟ ଖୋଲାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ହେଲେ ଏଭଳି ପଦକ୍ଷେପକୁ ଶିରୋମଣି ଅକାଳି ଦଳ ତରଫରୁ ବିରୋଧ କରାଯାଇଛି । ଏହା ଦ୍ୱାରା ରାଜ୍ୟ ପୋଲିସ ଅପେକ୍ଷା କେନ୍ଦ୍ରୀୟ ସଂସ୍ଥା ହାତରେ ଅଧିକ କ୍ଷମତା ରହିବ ବୋଲି ଅକାଳି ଦଳ କହିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଏପରି ପ୍ରସ୍ତାବକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ମଧ୍ୟ ଅନୁମୋଦନ କରିଥିବା ଅକାଳି ଦଳ ସଭାପତି ସୁଖବୀର ସିଂ ବାଦଲ ଅଭିଯୋଗ କରିଛନ୍ତି।

ଫରିଦାବାଦରେ ଦିନକ ତଳେ ସବୁ ରାଜ୍ୟର ଗୃହମନ୍ତ୍ରୀଙ୍କୁ ନେଇ ଅନୁଷ୍ଠିତ ‘ଚିନ୍ତନ ଶିବିର’ରେ ଶାହ କହିଥିଲେ ଯେ ୨୦୨୪ ସୁଦ୍ଧା ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ) ପ୍ରତ୍ୟେକ ରାଜ୍ୟରେ ଅତି କମରେ ଗୋଟିଏ କାର୍ଯ୍ୟାଳୟ ଖୋଲିବ। ଶିରୋମଣି ଅକାଳି ଦଳ ନେତା ପ୍ରେମ ସିଂ ଚାନ୍ଦୁମାଜ୍ରା, ମହେଶିନ୍ଦର ସିଂ ଗ୍ରୁୱାଲ ଏବଂ ଡଃ ଦଲଜିତ ସିଂ ଖେମା ଏକ ମିଳିତ ବିବୃତ୍ତିରେ କହିଛନ୍ତି, ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ‘ଚିନ୍ତନ ଶିବିର’ରେ ବିରୋଧୀ ଦଳର ଏକମାତ୍ର ମୁଖ୍ୟମନ୍ତ୍ରୀ (ମାନ୍) ଯୋଗ ଦେଇଥିଲେ ଏବଂ ସେ ଶାହଙ୍କ ଏହି ପ୍ରସ୍ତାବରେ ରାଜି ହୋଇଥିଲେ।

ପଞ୍ଜାବର ରାଜ୍ୟ ପୋଲିସ ଅପେକ୍ଷା ଏନଆଇଏ ଅଧିକ କ୍ଷମତା ପାଇବ ବୋଲି ଅକାଳି ଦଳ ନେତାମାନେ ଏକ ବିବୃତ୍ତିରେ କହିଛନ୍ତି। ଅକାଳି ଦଳ କହିଛି ଯେ କେନ୍ଦ୍ର ରାଜ୍ୟଗୁଡ଼ିକର କ୍ଷମତା ସଙ୍କୁଚିତ କରିବା ପରିବର୍ତ୍ତେ ବୃଦ୍ଧି କରିବା ଉଚିତ୍। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଟାର୍ଗେଟ କରି ଅକାଳି ଦଳ ଅଭିଯୋଗ କରିଛି ଯେ, ଦେଶର ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ମାନ୍ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ମିଶି ଚକ୍ରାନ୍ତ କରୁଛନ୍ତି । ପଞ୍ଜାବର ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଅଧିକାରକୁ ବନ୍ଧକ ରଖିବାକୁ ଜନାଦେଶ ଦେଇନଥିଲେ ବୋଲି ଅକାଳି ଦଳ କହିଛି ।

Comments are closed.