ରାଜନୀତି ମଇଦାନକୁ ଓହ୍ଲାଇଲେ ଅମ୍ବାତି ରାୟୁଡୁ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ଦଳରେ ସାମିଲ

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ପରେ ପୂର୍ବତନ ଖେଳାଳି ଅମ୍ବାତି ରାୟୁଡୁ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ରାୟୁଡୁ ଗୁରୁବାର ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆରସିପିରେ ଯୋଗ ଦେଇଛନ୍ତି । ବିଜୟଓ୍ବାଡାରେ ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ୩୭ ବର୍ଷୀୟ ରାୟୁଡୁ ଓ୍ବାଇଏସ୍ଆରସିପି ଦଳରେ ସାମିଲ ହୋଇଛନ୍ତି।

ଆଗାମୀ ପାଞ୍ଚ ମାସ ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଅମ୍ବାତି ରାୟୁଡୁଙ୍କୁ ନିର୍ବାଚନୀ ମଇଦାନରେ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଅମ୍ବାତି ରାୟୁଡୁ ଚଳିତ ବର୍ଷ ମେ ୨୯ରେ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଥିଲେ । ସେ ଆଇପିଏଲ୍ ଟାଇଟଲ୍ ସହ କ୍ରିକେଟକୁ ଅଲବିଦା କହିଥିଲେ। ଭାରତ ପାଇଁ ରାୟୁଡୁ ୫୫ଟି ଦିନିକିଆ ଖେଳି ୩ଟି ଶତକ ଓ ୧୦ ଅର୍ଦ୍ଧଶତକ ସହ ୧୬୯୪ ରନ୍ କରିଥିଲେ। ଏହାଛଡ଼ା ସେ ୩ଟି ୱିକେଟ୍ ନେଇଥିଲେ । ରାୟୁଡୁ ୬ଟି ଟି-୨୦ ମ୍ୟାଚରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ‌। ସେ ଏହି ଫର୍ମାଟରେ ୪୨ ରନ୍ କରିଥିଲେ |

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଗୁଣ୍ଟୁର ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣକୁ ଯାଇ ଲୋକମାନଙ୍କୁ ଭେଟିଥିଲେ ଏବଂ ଜନସମ୍ପର୍କ ସ୍ଥାପନ କରିଥିଲେ। ଗୁଣ୍ଟୁର ଜିଲ୍ଲା ହେଉଛି ରାୟୁଡୁଙ୍କ ଘରୋଇ ଜିଲ୍ଲା | କ୍ରିକେଟରୁ ଅବସର ପରେ ରାୟୁଡୁ ଆନ୍ଧ୍ରପ୍ରଦେଶ ରାଜନୀତିରେ ପ୍ରବେଶ କରିବାକୁ ସଙ୍କେତ ଦେଇଥିଲେ ।

Comments are closed.