କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ଜୁଲାଇ ୩ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଜୁଲାଇ ୩ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଏକ ବୈଠକ ବସିବ ।

ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାସଭବନରେ ବିଜେପିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକ ପରେ ମନ୍ତ୍ରିମଣ୍ଡଳର ବୈଠକ ଖବର ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ସୋମବାର ଜାତୀୟ ରାଜଧାନୀରଥ ପ୍ରଗତି ମଇଦାନରେ ନବନିର୍ମିତ କନଭେନସନ ସେଣ୍ଟରରେ ହେବା ସମ୍ଭାବନା ରହିଛି।

ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ୨୦୨୪ରେ ଲୋକସଭା ନିର୍ବାଚନ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଭଳି ସ୍ଥିତିରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଜେପି ନଡ୍ଡାଙ୍କ ଅଂଶଗ୍ରହଣ ସହିତ ସରକାର ଏବଂ ବିଜେପି ସଂଗଠନରେ ରାଜ୍ୟ ସ୍ତରରେ ମଧ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଆହୁରି ଜୋର୍ ଧରିଛି।

ଗତ କିଛି ଦିନ ହେବ ଅମିତ ଶାହା, ଜେପି ନଡ୍ଡା ଏବଂ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ସାଂଗଠନିକ ତଥା ରାଜନୈତିକ ପ୍ରସଙ୍ଗରେ ଅନେକ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଶେଷରେ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ ନିର୍ବାଚନ ହେବ।

ପ୍ରଧାନମନ୍ତ୍ରୀ ମୋଦୀ ଶେଷଥର ଦୁଇ ବର୍ଷ ତଳେ ନିଜ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ କରିଥିଲେ । ତେବେ ଚଳିତ ବର୍ଷ ମେ’ରେ ଆଇନ ମନ୍ତ୍ରାଳୟରୁ କିରେନ ରିଜିଜୁଙ୍କୁ ହଟାଇ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ଆଇନ ମନ୍ତ୍ରୀ କରାଯାଇଥିଲା ।

Comments are closed.