ଓଓ୍ବେସିଙ୍କୁ ‘ଜେଡ୍’ କାଟେଗୋରି ସୁରକ୍ଷା ନେବା ପାଇଁ ଅନୁରୋଧ କଲେ ଅମିତ ଶାହ

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସିଙ୍କ କାର୍ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ ରାଜ୍ୟସଭାରେ କହିଛନ୍ତି ଯେ ଓଓ୍ବେସିଙ୍କ ଜୀବନ ପ୍ରତି ଥିବା ବିପଦର ସମୀକ୍ଷା କରାଯାଇଛି ଏବଂ ତଦନୁସାରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ଜେଡ୍’ କାଟେଗୋରି ସୁରକ୍ଷା ଦିଆଯାଇଛି। ଓଓ୍ବେସି ସୁରକ୍ଷା ନେବାକୁ ମନା କରି ଦେଇଛନ୍ତି, ମୁଁ ତାଙ୍କୁ ତୁରନ୍ତ ସୁରକ୍ଷା ନେବାକୁ ଅନୁରୋଧ କରିବି |

ସେ କହିଛନ୍ତି ଯେ ଘଟଣା ପରେ ସ୍ଥାନୀୟ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ୟୁପି ପୋଲିସ ପଚରାଉଚରା କରୁଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୁରନ୍ତ ୟୁପି ସରକାରଙ୍କଠାରୁ ରିପୋର୍ଟ ମାଗିଥିଲା। ତାଙ୍କ ସୁରକ୍ଷାର ସମୀକ୍ଷା କରାଯାଇଥିଲା ଏବଂ ତଦନୁସାରେ ‘ଜେଡ୍’ ବର୍ଗର ସୁରକ୍ଷା ଦିଆଯାଇଥିଲା | ହେଲେ ଓଓ୍ବେସି ସୁରକ୍ଷା ନେବାକୁ ମନା କରିଦେଇଥିଲେ।

ଘଟଣାର ସବିଶେଷ ତଥ୍ୟ ଦେଇ ଅମିତ ଶାହା କହିଛନ୍ତି ଯେ ଯେତେବେଳେ ଓଓ୍ବେସିଙ୍କ ଗାଡ଼ି ମେରଟ୍ ଏକ୍ସପ୍ରେସୱେର ସିଜାରସି ଟୋଲ୍ ପ୍ଲାଜାରେ ପହଞ୍ଚିଥିଲା ​​ସେତେବେଳେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଆଇପିସିର ଧାରା ୩୦୭ ଅନୁଯାୟୀ ଏକ ଏଫ୍ଆଇଆର୍ ରୁଜୁ ହୋଇଛି |

ଫେବୃଆରୀ ୩ ତାରିଖ ସନ୍ଧ୍ୟାରେ ହାପୁଡ୍ ଜିଲ୍ଲାରେ ଏଆଇଏମ୍ଆଇଏମ୍ ମୁଖ୍ୟ ଆସାଦୁଦ୍ଦିନ ଓଓ୍ବେସିଙ୍କ କାର୍ ଉପରକୁ ଗୁଳିମାଡ଼ ହୋଇଥିଲା | ପଶ୍ଚିମ ଉତ୍ତର ପ୍ରଦେଶରେ ନିର୍ବାଚନ ରାଲିରେ ଯୋଗଦେଇ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା।

Comments are closed.