ଅମରିନ୍ଦରଙ୍କ ଚାଞ୍ଚଲ୍ୟକର ଅଭିଯୋଗ, ସିଦ୍ଧୁଙ୍କୁ କ୍ୟାବିନେଟରେ ସାମିଲ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ଅନୁରୋଧ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ଲୋକ କଂଗ୍ରେସ ସଭାପତି ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଅମରିନ୍ଦର କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବଜୋତ ସିଂ ସିଦ୍ଧୁଙ୍କୁ କ୍ୟାବିନେଟରେ ସାମିଲ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କୁ ଅନୁରୋଧ କରିଥିଲେ । ପାକ୍ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସିଦ୍ଧୁଙ୍କୁ ଯଦି ପଞ୍ଜାବ କ୍ୟାବିନେଟରେ ସାମିଲ କରାଯାଏ, ତେବେ ମୁଁ କୃତଜ୍ଞ ହେବି, ସେ ମୋର ପୁରୁଣା ବନ୍ଧୁ। ଯଦି ସିଦ୍ଧୁ କାମ ନକରନ୍ତି ତେବେ ଆପଣ ତାଙ୍କୁ କ୍ୟାବିନେଟରୁ ହଟାଇ ଦେବେ ।

ଅମରିନ୍ଦର ସିଂ କହିଛନ୍ତି ଯେ ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲି ଏବଂ କ୍ୟାବିନେଟରୁ ମଧ୍ୟ ତାଙ୍କୁ (ସିଦ୍ଧୁ)ଙ୍କୁ ବରଖାସ୍ତ କରିଥିଲି। କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ଯେ ସିଦ୍ଧୁ କୌଣସି କାମର ନୁହଁନ୍ତି । ସେ ଜଣେ ସଂପୂର୍ଣ୍ଣ ଅକ୍ଷମ ବ୍ୟକ୍ତି । ସେ କିପରି କାମ କରିବେ ଜାଣନ୍ତି ନାହିଁ। ଅମରିନ୍ଦର ସିଂ କହିଛନ୍ତି ଯେ ଜୁଲାଇ ୨୮ ରେ ମୁଁ ତାଙ୍କୁ ମୋ କ୍ୟାବିନେଟରୁ ହଟାଇ ଦେଇଥିଲି। ସେ ୭୦ ଦିନ ପର୍ଯ୍ୟନ୍ତ ଏକ ଫାଇଲରେ ଦସ୍ତଖତ କରିନଥିଲେ |

ସିଦ୍ଧୁଙ୍କ ସହ ବିବାଦ ପାଇଁ କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳ ମଧ୍ୟ ଛାଡିଥିଲେ । ଏହାପରେ ସେ ‘ପଞ୍ଜାବ ଲୋକ କଂଗ୍ରେସ’ ନାମରେ ଏକ ନୂଆ ଦଳ ଗଠନ କରିଛନ୍ତି । ତାଙ୍କ ଦଳ ଆଗାମୀ ନିର୍ବାଚନରେ ବିଜେପି ସହ ମେଣ୍ଟ କରିବ ବୋଲି କହିଛି ‌। କ୍ୟାପଟେନ ଅମରିନ୍ଦରଙ୍କ ଦଳ ୩୭ ଆସନରେ ଲଢ଼ିବାକୁ ଥିବା ବେଳେ ବିଜେପି ୬୫ ସିଟରେ ପ୍ରାର୍ଥୀ ଦେବ ।

Comments are closed.