‘ମୁଁ ଆଗରୁ କହିଥିଲି …’, ସିଦ୍ଧୁଙ୍କ ଇସ୍ତଫା ନେଇ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପ୍ରତିକ୍ରିୟା ଆସିଛି। ସିଦ୍ଧୁଙ୍କୁ କଟାକ୍ଷ କରି ଅମରିନ୍ଦର କହିଛନ୍ତି, ମୁଁ ଆଗରୁ କହିଥିଲି ଏହି ବ୍ୟକ୍ତି ସ୍ଥିର ନୁହନ୍ତି ଏବଂ ପଞ୍ଜାବ ଭଳି ସୀମାବର୍ତ୍ତୀ ରାଜ୍ୟ ପାଇଁ ଫିଟ୍ ନୁହଁନ୍ତି।

ବହୁ ଛକାପଞ୍ଝା ପରେ ଜୁଲାଇରେ ପଞ୍ଜାବ କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଥିବା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ହଠାତ୍ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟରେ ଗତକାଲି ହୋଇଥିବା କ୍ୟାବିନେଟ ସମ୍ପ୍ରସାରଣ ରେ କିଛି ନେତାଙ୍କୁ ସାମିଲ କରାଯିବା ନେଇ ସିଦ୍ଧୁ କୁଆଡେ଼ ଅସନ୍ତୁଷ୍ଟ ଥିଲେ ।

ପଞ୍ଜାବ ନିର୍ବାଚନର କିଛି ମାସ ପୂର୍ବରୁ ଏହି ଇସ୍ତଫା କଂଗ୍ରେସ ନେତୃତ୍ୱଙ୍କୁ ଚକିତ କରିଛି ଏବଂ ଏହା ଦଳ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । କାରଣ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବରେ ନିଯୁକ୍ତ ନ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ କିଛି ନେତା ଗାନ୍ଧୀ ପରିବାରକୁ ଚେତାବନୀ ଦେଇଥିଲେ। ଏହା ସତ୍ତ୍ୱେ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ସିଦ୍ଧୁଙ୍କୁ ହିଁ ରାଜ୍ୟ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିବାକୁ ସବୁଜ ସଙ୍କେତ ଦେଇଥିଲେ ।

ଅନ୍ୟପକ୍ଷରେ, ଆମ୍ ଆଦମୀ ପାର୍ଟି ମଧ୍ୟ ସିଦ୍ଧୁଙ୍କ ଇସ୍ତଫା ଉପରେ ମନ୍ତବ୍ୟ ଦେଇ ତାଙ୍କୁ ଦଳ ବିରୋଧୀ ବୋଲି କହିଛି। ଆମ୍ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ ଏହା ଦର୍ଶାଉଛି ଯେ ସିଦ୍ଧୁ ଦଳିତ ବିରୋଧୀ, ଜଣେ ଗରିବ ମାଆର ପୁଅ(ଚନ୍ନି) ମୁଖ୍ୟମନ୍ତ୍ରୀ ହେବାକୁ ସେ ସହ୍ୟ କରିପାରୁ ନାହାନ୍ତି ।

ଉଲ୍ଲେଖଯୋଗ୍ୟ, ପଞ୍ଜାବରେ ସିଦ୍ଧୁ ଏବଂ କ୍ୟାପଟେନ ଅମରିନ୍ଦର ସିଂଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ସିଦ୍ଧୁ ଗୋଷ୍ଠୀର ବିରୋଧ ଏହି ହାଇକମାଣ୍ଡ ଚାପ ଯୋଗୁଁ କ୍ୟାପଟେନ ଅମରିନ୍ଦର ସେପ୍ଟେମ୍ବର ୧୮ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comments are closed.