ଲଣ୍ଡନ ପଳାଉଥିବା ବେଳେ ଅମୃତପାଲ ସିଂର ପତ୍ନୀ ଅମୃତସର ବିମାନ ବନ୍ଦରରେ ଅଟକ

ନୂଆଦିଲ୍ଲୀ: ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ଅମୃତପାଲ ସିଂର ପତ୍ନୀ କିରଣଦୀପ କୌରଙ୍କୁ ପଞ୍ଜାବ ପୋଲିସ ଅଟକ ରଖିଛି ‌। ଲଣ୍ଡନକୁ ପଳାୟନ ଯୋଜନାରେ ଥିବା କିରଣଦୀପଙ୍କୁ ଗୁରୁବାର ଅମୃତସରର ଶ୍ରୀ ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଟକ ରଖିଛି ପଞ୍ଜାବ ପୋଲିସ ।

ଏକ ଫ୍ଲାଇଟରେ ଚଢୁଥିବା ବେଳେ କିରଣଦୀପଙ୍କୁ ଅଟକ ରଖାଯାଇଛି ଏବଂ ଇମିଗ୍ରେସନ ଅଧିକାରୀ ତାଙ୍କୁ ପଚରାଉଚରା କରୁଛନ୍ତି ।

ପଞ୍ଜାବ ପୋଲିସ ସୂତ୍ରରୁ ପ୍ରକାଶ ଯେ ଅମୃତପାଲ ସିଂଙ୍କ ପତ୍ନୀ କିରଣଦୀପଙ୍କୁ ଳ ଗିରଫ କରାଯାଇ ନାହିଁ, ତାଙ୍କୁ ଏବେ ପଚରାଉଚରା କରାଯାଉଛି।

ଫେବୃଆରୀ ୨୩ରେ ଅମୃତପାଲର ସମର୍ଥକମାନେ ଅମୃତସରର ଅଜନାଲା ପୋଲିସ ଥାନା ଉପରେ ଆକ୍ରମଣ କରି ତାଙ୍କର ଜଣେ ସହଯୋଗୀଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ପ୍ରାୟ ତିନି ସପ୍ତାହ ପରେ ଅର୍ଥାତ୍ ମାର୍ଚ୍ଚ ୧୮ରେ ଅମୃତପାଲ ଏବଂ ତା’ର ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ଅଭିଯାନ ଆରମ୍ଭ କରିଥିଲା। ସେହି ଦିନଠାରୁ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଫେରାର ଅଛି । ତାକୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

ମାର୍ଚ୍ଚ ଶେଷ ସୁଦ୍ଧା ଅମୃତପାଲର କୌଣସି ଖୋଜ୍ ଖବର ନଥିଲା । କିନ୍ତୁ ନିକଟରେ ସେ ଏକ ଅଡିଓ ଏବଂ ଦୁଇଟି ଭିଡିଓ କ୍ଲିପ୍ ରିଲିଜ୍ କରି ଅକଲ ତଖତ ଜାଥେଦର (ମୁଖିଆ) ଙ୍କୁ ବୈଶାଖୀ ଅବସରରେ ଶିଖ ସମ୍ପ୍ରଦାୟ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିବାକୁ ସର୍ବତ ଖାଲସା ବା ଶିଖମାନଙ୍କର ସାଧାରଣ ସଭା ଡାକିବାକୁ ଆହ୍ବାନ କରିଥିଲା ।

ଇତି ମଧ୍ୟରେ ପଞ୍ଜାବ ପୋଲିସ ଅମୃତପାଲ ସିଂର ଘନିଷ୍ଠ ସହଯୋଗୀ ପପଲପ୍ରୀତ ସିଂଙ୍କ ସହ କିଛି ସମର୍ଥକଙ୍କୁ ଗିରଫ କରିଛି। ହୋଶିଆରପୁରରୁ ପପଲପ୍ରୀତଙ୍କୁ ଗିରଫ କରାଯାଇଥିଲା।

Comments are closed.