ଆନନ୍ଦ ମହିନ୍ଦ୍ରାଙ୍କ ବଡ଼ ଘୋଷଣା, ‘ଅଗ୍ନିବୀର’ଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ହିଂସାତ୍ମକ ଆନ୍ଦୋଳନ ମଧ୍ୟରେ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏକ ବଡ଼ ଘୋଷଣା କରିଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ହିଂସା ଘଟଣାରେ ଦୁଃଖ ପ୍ରକାଶ କରି ଆନନ୍ଦ ମହିନ୍ଦ୍ରା ‘ଅଗ୍ନିବୀର’ ମାନଙ୍କୁ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି କହିଛନ୍ତି ।

ଜୁନ୍ ୧୪ରେ ଅଗ୍ନିପଥ ଯୋଜନା ଘୋଷଣା ପରଠାରୁ ଏହି ଯୋଜନା ବିରୋଧରେ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି | ଏହି ଯୋଜନାରେ ପେନ୍‌ସନ୍‌ ସୁବିଧା ନାହିଁ ଏବଂ ଚାକିରି କାଳ କେବଳ ଚାରି ବର୍ଷରେ ସୀମିତ ରଖାଯାଇଛି । ଯାହାକୁ ନେଇ ଆଶାୟୀ ଯୁବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମହିନ୍ଦ୍ରା ଗ୍ରୁପ୍‌ର ଚୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟ୍ବିଟ୍ କରି କହିଛନ୍ତି, “ଅଗ୍ନିପଥ ଯୋଜନା ଘୋଷଣା ପରେ ଯେଉଁଭଳି ହିଂସା ଘଟୁଛି, ସେଥିରେ ମୁଁ ଦୁଃଖିତ ଓ ନିରାଶ | ଗତ ବର୍ଷ ଯେତେବେଳେ ଏହି ଯୋଜନା ଉପରେ ବିଚାର କରାଯାଉଥିଲା, ମୁଁ କହିଥିଲି ଯେ ଅଗ୍ନିବୀର ମାନେ ଯେଉଁ ପ୍ରକାର ଅନୁଶାସନ ଏବଂ କୌଶଳ ହାସଲ କରିବେ ତାହା ତାଙ୍କୁ ନିଯୁକ୍ତି ଯୋଗ୍ୟ କରିବ | ଏପରି ତାଲିମପ୍ରାପ୍ତ, କୁଶଳୀ ଯୁବକମାନଙ୍କୁ ମହିନ୍ଦ୍ରା ଗ୍ରୁପ୍ ନିଯୁକ୍ତି (ଚାକିରି) ସୁଯୋଗ ଦେବ |”

ଆନନ୍ଦ ମହିନ୍ଦ୍ରାଙ୍କୁ ଜଣେ ୟୁଜର ପଚାରିଥିଲେ ଯେ ସେ କମ୍ପାନୀରେ ଅଗ୍ନିବୀରଙ୍କୁ କେଉଁ ପଦବୀ ଦେବେ? ଏହା ଉତ୍ତରର, ସେ କହିଥିଲେ ‘ନେତୃତ୍ୱ ଦକ୍ଷତା, ଟିମ୍ ଓ୍ବାର୍କ ଏବଂ ଶାରୀରିକ ପ୍ରଶିକ୍ଷଣ ଯୋଗୁଁ ଶିଳ୍ପ ଜଗତକୁ ଅଗ୍ନିବୀର ରୂପରେ ପେସାଦାର ଲୋକ ମିଳିବେ | ଏହି ଲୋକମାନେ ପ୍ରଶାସନ, ଯୋଗାଣ ଶୃଙ୍ଖଳା ପରିଚାଳନା ଭଳି ଯେକୌଣସି ସ୍ଥାନରେ କାର୍ଯ୍ୟ କରିପାରିବେ |

ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ସତ୍ତ୍ୱେ ଏହି ଯୋଜନା ପ୍ରତ୍ୟାହାର ହେବନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ କରିଥିଲା । ତୀବ୍ର ବିରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ କିଛି କୋହଳ କରିଛନ୍ତି । ଏହାଛଡ଼ା ଅଗ୍ନିବୀର ମାନଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦% ସଂରକ୍ଷଣ ସହ ନିଯୁକ୍ତି ପ୍ରତିଶ୍ରୁତି ଦେଇଛନ୍ତି । ତଥାପି ଏହି ଯୋଜନା ବିରୋଧରେ ଆଶାୟୀ ଯୁବକଙ୍କ ଆକ୍ରୋଶ ଥମିନାହିଁ ।

Comments are closed.