କଂଗ୍ରେସକୁ ପୁଣି ଝଟକା: ହିମାଚଳ ପ୍ରଦେଶ ପ୍ରଚାର କମିଟି ମୁଖ୍ୟ ପଦରୁ ଆନନ୍ଦ ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ରବିବାର ଦଳର ରାଜ୍ୟ ପ୍ରଚାର କମିଟିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପ କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି।

ସୂଚନାନୁସାରେ, ଶର୍ମା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ତାଙ୍କ ଆତ୍ମ ସମ୍ମାନ ପ୍ରତି ‘ସାଲିସ କରାଯାଇ ପାରିବ ନାହିଁ’ ଏବଂ ସେ ଦଳର ହିମାଚଳ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।

ଶର୍ମାଙ୍କ ପୂର୍ବରୁ ଅସନ୍ତୁଷ୍ଟ ଜି୨୩ ଗୋଷ୍ଠୀର ଅନ୍ୟ ଜଣେ ନେତା ଗୁଲାମ ନବୀ ଆଜାଦ କଂଗ୍ରେସର ଜମ୍ମୁ-କାଶ୍ମୀର ନିର୍ବାଚନ ପ୍ରଚାର କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ଆନନ୍ଦ ଶର୍ମା କଂଗ୍ରେସ ସଭାପତିଙ୍କୁ କହିଛନ୍ତି ଯେ, ପରାମର୍ଶ ପ୍ରକ୍ରିୟାରେ ତାଙ୍କୁ ଅଣଦେଖା କରାଯାଇଛି । ତେବେ ସେ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିବେ ବୋଲି ନିଶ୍ଚିତ କରିଛନ୍ତି।

ରାଜ୍ୟସଭାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସର ଉପନେତା ଶର୍ମା ହିମାଚଳ ପ୍ରଦେଶରେ ଦଳର ପ୍ରଚାର କମିଟିର ସଭାପତି ଭାବରେ ୨୬ ଏପ୍ରିଲରେ ନିଯୁକ୍ତ ହୋଇଥିଲେ।

ଜି୨୩ ଗୋଷ୍ଠୀର ଦୁଇ ପ୍ରମୁଖ ନେତା ଆଜାଦ ଏବଂ ଶର୍ମା ଦଳୀୟ ନେତୃତ୍ୱର ନିଷ୍ପତ୍ତିକୁ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଭୁପିନ୍ଦର ସିଂ ହୁଡା ଏବଂ ମନୀଷ ତିୱାରୀଙ୍କ ସମେତ ଅନେକ ଭେଟେରାନ ନେତାଙ୍କୁ ନେଇ ଗଠିତ ଦଳର ଏହି ଅସନ୍ତୁଷ୍ଟ ଗୋଷ୍ଠୀ ବ୍ଲକରୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁଡିସି) ସ୍ତର ପର୍ଯ୍ୟନ୍ତ ନିର୍ବାଚନର ସଠିକ୍ ପରିଚାଳନା ପାଇଁ ଦାବି କରିଆସୁଛି।

ହିମାଚଳ ପ୍ରଦେଶର ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା କଂଗ୍ରେସ ସଭାପତିଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ ତାଙ୍କୁ ଦଳର କୌଣସି ବୈଠକକୁ ଆମନ୍ତ୍ରିତ କରାଯାଇ ନାହିଁ କି ତାଙ୍କ ସହ କୌଣସି ପ୍ରସଙ୍ଗରେ ପରାମର୍ଶ କରାଯାଇ ନ ଥିବାରୁ ତାଙ୍କ ଆତ୍ମ ସମ୍ମାନକୁ ଆଘାତ ଲାଗିଛି ।

ଶର୍ମା ୧୯୮୨ ମସିହାରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ସେବେଠାରୁ ସେ ରାଜ୍ୟସଭା ସଦସ୍ୟ ରହିଆସିଛନ୍ତି ଏବଂ ଦଳର ଅନେକ ପ୍ରମୁଖ ପଦରୁ ରହି କାର୍ଯ୍ୟ କରିଛନ୍ତି।

Comments are closed.