ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ: ‘ଟାଇମ୍ ଆଉଟ୍’ ହେଲେ ଶ୍ରୀଲଙ୍କା ଖେଳାଳି ଆଞ୍ଜେଲୋ ମାଥ୍ୟୁସ୍

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ବିଶ୍ବକପ୍ ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ଆଞ୍ଜେଲୋ ମାଥ୍ୟୁସ୍ ‘ଟାଇମ୍ ଆଉଟ୍’ ହୋଇଛନ୍ତି । ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଖେଳାଳି ଏପରି ଭାବେ ଆଉଟ୍ ହୋଇଛନ୍ତି।

ଆଇସିସି ନିୟମ ଅନୁଯାୟୀ, ଏକ ଓ୍ବିକେଟ୍ ପଡ଼ିବା ପରେ କିମ୍ବା ଜଣେ ବ୍ୟାଟର ରିଟାୟର ହେବା ପରେ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ତିନି ମିନିଟ୍ ମଧ୍ୟରେ ଷ୍ଟ୍ରାଇକ୍ ନେବାକୁ ପଡ଼ିବ |

ଶ୍ରୀଲଙ୍କା ଇନିଂସୟ ୨୫ତମ ଓଭରରେ ସାଥୀ ଖେଳାଳି ସାଦିରା ସମରବିକ୍ରମା ଆଉଟ୍ ହେବା ପରେ ଆଞ୍ଜେଲୋ ମାଥ୍ୟୁସ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ପଡ଼ିଆରେ ପହଞ୍ଚିଥିଲେ। କିନ୍ତୁ ହେଲମେଟରେ କିଛି ସମସ୍ୟା ଯୋଗୁଁ ସେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ବୋଲରଙ୍କ ସାମ୍ନା କରିପାରିନଥିଲେ।

ଏହା ପରେ ବାଂଲାଦେଶ ଦଳ ନିୟମ ଅନୁଯାୟୀ ମାଥ୍ୟୁସଙ୍କ ବିରୋଧରେ ‘ଟାଇମ୍ ଆଉଟ୍’ ଅପିଲ କରିଥିଲେ । ମାଥ୍ୟୁସ୍ ବାଂଲାଦେଶ ଅଧିନାୟକ ସକିବ ଅଲ୍ ହସନଙ୍କୁ ତାଙ୍କ ହେଲମେଟରେ ସମସ୍ୟା ବିଷୟରେ କହିଥିଲେ ଓ ତାଙ୍କ ବିରୋଧରେ ‘ଟାଇମ୍ ଆଉଟ୍’ ଅପିଲ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସକିବ ଅପିଲ ପ୍ରତ୍ୟାହାର ନ କରିବାରୁ ୩୬ ବର୍ଷୀୟ ମାଥ୍ୟୁସଙ୍କୁ ଅମ୍ପାୟାର ଆଞ୍ଜେଲୋ ମାଥ୍ୟୁସଙ୍କୁ ‘ଟାଇମ୍ ଆଉଟ୍’ ଘୋଷଣା କରିଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ପୂର୍ବରୁ କୌଣସି ଖେଳାଳି ‘ଟାଇମ୍ ଆଉଟ୍’ ହୋଇନଥିଲେ । ତେବେ ଘରୋଇ କ୍ରିକେଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । କଟକରେ ୧୯୯୭ରେ ଓଡ଼ିଶା ଓ ତ୍ରିପୁରା ମଧ୍ୟରେ ମ୍ୟାଚରେ ହେମୁଲାଲ ଯାଦବ ନାମକ ବ୍ୟାଟ୍ସମ୍ୟାନ ‘ଟାଇମ୍ ଆଉଟ୍’ ହୋଇଥିଲେ ।

Comments are closed.