ଫେସବୁକ୍ ବନ୍ଧୁଙ୍କୁ ବିବାହ କରିବାକୁ ପାକିସ୍ତାନ ଯାଇଥିବା ଭାରତୀୟ ମହିଳା ଅଞ୍ଜୁ ସ୍ବଦେଶ ଫେରିଆସିଲେ

ଅମୃତସର: ଫେସବୁକ ବନ୍ଧୁଙ୍କୁ ବିବାହ କରିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁ ନାମ୍ନୀ ଜଣେ ଭାରତୀୟ ମହିଳା ଭାରତ ଫେରିଆସିଛନ୍ତି। ସେ ବୁଧବାର ୱାଗା-ଅଟାରୀ ସୀମା ଦେଇ ଭାରତରେ ପହଞ୍ଚିଥିଲେ । ଅଞ୍ଜୁଙ୍କୁ ଛାଡିବାକୁ ତାଙ୍କ ପାକିସ୍ତାନୀ ସ୍ୱାମୀ ଓ୍ବାଗା ସୀମା ଯାଏଁ ଆସିଥିଲେ। ଅଞ୍ଜୁ ଓରଫ୍ ଫାତିମା (୩୪) ତାଙ୍କର ଦୁଇ ପିଲାଙ୍କୁ ଭାରତରେ ଛାଡ଼ି ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶର ଏକ ସୁଦୂର ଗାଁ ଯାଇ ତାଙ୍କ ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିଥିଲେ।

ଭାରତରେ ପହଞ୍ଚିବା ପରେ ଅଞ୍ଜୁଙ୍କୁ ଗଣମାଧ୍ୟମ ସହ କଥା ହେବାକୁ ଦିଆଯାଇନଥିଲା । ସେ ଦିଲ୍ଲୀ ଆସିବା ପାଇଁ ସିଧା ଅମୃତସର ବିମାନବନ୍ଦର ପଳାଇଥିଲେ । ଗୁରୁ ରାମଦାସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଞ୍ଜୁଙ୍କୁ ବୁର୍ଖା ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଅଞ୍ଜୁ ଗଣମାଧ୍ୟମକୁ କହିଥିଲେ “ମୁଁ ମୋର ଭାରତୀୟ ପରିବାରକୁ ଭେଟିବାକୁ ଏଠାକୁ ଆସିଛି। ମୁଁ ନିଜ ଇଚ୍ଛାରେ ଭାରତ ଫେରି ଆସିଛି।”

ଅଞ୍ଜୁ ଜୁଲାଇରେ ୱାଗା-ଅଟାରୀ ସୀମା ଦେଇ ପାକିସ୍ତାନ ଯାଇଥିଲେ। ନସରୁଲ୍ଲାଙ୍କୁ ବିବାହ କରିବା ପରେ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ନିଜ ନାଁ ବଦଳାଇ ଫାତିମା ରଖିଥିଲେ। ଅଞ୍ଜୁଙ୍କ ଭାରତୀୟ ସ୍ୱାମୀ ଅରବିନ୍ଦ କହିଥିଲେ ସେ ଜୟପୁର ଯିବା ବାହାନାରେ ଘରୁ ପଳାଇ ଆସିଥିଲେ। କିନ୍ତୁ ପରେ ପରିବାର ଲୋକ ଜାଣିବାକୁ ପାଇଲେ ଯେ ସେ ପାକିସ୍ତାନରେ ଅଛନ୍ତି।

ଅଞ୍ଜୁ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହ ରାଜସ୍ଥାନର ଭିୱାଡିରେ ରହୁଥିଲେ। ସେ ମୂଳତଃ ଉତ୍ତର ପ୍ରଦେଶର କୈଲୋର ଗାଁ ନିବାସୀ । ଭିୱାଡିର ଡିଏସପି ଦିଲୀପ ସାଇନି କହିଛନ୍ତି, ଅଞ୍ଜୁଙ୍କ ଫେରିବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ପୋଲିସ ସୂତ୍ରରୁ ପ୍ରକାଶ ଯେ ଅରବିନ୍ଦ ଆଉ ଭିୱାଡିରେ ରହୁ ନାହାଁନ୍ତି। ସେ ନିଜ ପିଲାମାନଙ୍କ ସହିତ ଅନ୍ୟ କୌଣସି ସ୍ଥାନକୁ ଚାଲି ଯାଇଛନ୍ତି।

Comments are closed.