ପଶ୍ଚିମବଙ୍ଗ: ଆଉ ଜଣେ ବିଜେପି ବିଧାୟକ ତୃଣମୂଳ କଂଗ୍ରେସରେ ଯୋଗଦେଲେ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଜେପିରୁ ଏବେ ବିଧାୟକ ଓ ନେତାଙ୍କ ପ୍ରସ୍ଥାନ ଜାରି ରହିଛି । ଏବେ ଆଉ ଜଣେ ବିଜେପି ବିଧାୟକ ବିଶ୍ୱଜିତ ଦାସ ଦଳ ଛାଡ଼ିଛନ୍ତି । ଦାସ ମଙ୍ଗଳବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ବିଶ୍ୱଜିତ୍ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବଗାଡା ଆସନରୁ ବିଧାୟକ ଅଛନ୍ତି । ସେହିପରି ବିଜେପି କାଉନସିଲର ମନୋତୋଷ ନାଥ ମଧ୍ୟ ବିଜେପି ଛାଡ଼ି ଟିଏମ୍‌ସିରେ ସାମିଲ ହୋଇଛନ୍ତି ।

ବିଶ୍ୱଜିତ୍ ୨୦୧୯ରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏବେ ପୁଣି ତୃଣମୂଳ କଂଗ୍ରେସକୁ ଫେରିବା ପରେ ବିଶ୍ୱଜିତ କହିଛନ୍ତି ଯେ, ବିଜେପିରେ ସେ ଅସହଜ ମନେ କରୁଥିଲେ । ଏବେ ମୋର ଘର ବାହୁଡ଼ା ହୋଇଛି ।

ବିଧାନସଭା ନିର୍ବାଚନ ପରେ ବିଜେପି ଛାଡ଼ି ଟିଏମ୍‌ସିକୁ ଫେରିବାରେ ବିଶ୍ୱଜିତ ହେଉଛନ୍ତି ତୃତୀୟ ବିଧାୟକ । ସୋମବାର ବିଷ୍ଣୁପୁର ଆସନରୁ ବିଧାୟକ ଥିବା ତନ୍ମୟ ଘୋଷ ମଧ୍ୟ ବିଜେପି ଛାଡ଼ି ଟିଏମ୍‌ସିକୁ ଫେରିଥିଲେ । ତନ୍ମୟ କହିଥିଲେ ଯେ ବିଜେପି ପ୍ରତିଶୋଧର ରାଜନୀତି କରୁଛି । ପଶ୍ଚିମବଙ୍ଗରେ ଲୋକଙ୍କ ମଧ୍ୟରେ ବିଜେପି ଅରାଜକତା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଥିଲେ । ତା’ ପୂର୍ବରୁ ଜୁନ୍‌ରେ ବରିଷ୍ଠ ନେତା ତଥା ବିଜେପିର ଉପାଧ୍ୟକ୍ଷ ମୁକୁଲ ରୟ ମଧ୍ୟ ଟିଏମ୍‌ସିକୁ ଫେରିଥିଲେ ।

ଏପ୍ରିଲ-ମେ’ରେ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୧୩ ଆସନରେ ବିଜୟୀ ହୋଇ କ୍ରମାଗତ ତୃତୀୟ ଥର କ୍ଷମତାକୁ ଫେରିଥିଲା । ୨୯୪ଟି ଆସନ ମଧ୍ୟରୁ ବିଜେପି କେବଳ ୭୭ଟି ଆସନରେ ବିଜୟୀ ହୋଇଥିଲା ।

Comments are closed.