‘ମମି, ପାପା, ମୁଁ ଜେଇଇ ପାରୁନି..’, କୋଟାରେ ଝୁଲି ପଡ଼ିଲେ ଆଉ ଜଣେ ଛାତ୍ରୀ

କୋଟା: ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ଥମିବାର ନାଁ ନେଉନାହିଁ। ଚଳିତ ମାସରେ ହିଁ ଆତ୍ମହତ୍ୟାର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କୋଟାର ବୋରଖଡା ଅଞ୍ଚଳରେ ନିହାରିକା ସିଂହ ନାମ୍ନୀ ଜଣେ ୧୮ ବର୍ଷୀୟା ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଲେଖିଥିବା ଏକ ନୋଟ୍ ପୋଲିସ ଜବତ କରିଛି । ନିଜ ଅଭିଭାବକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏହି ନୋଟରେ ସେ ଜେଇଇ ପାଇଁ ପ୍ରସ୍ତୁତିରେ ବିଫଳତା ଯୋଗୁଁ ଶେଷ ବିକଳ୍ପ ଭାବେ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖିଛନ୍ତି।

ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ନିହାରିକାଙ୍କ ରୁମରୁ ପୋଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି । ନିହାରିକା ଏଥିରେ ଇଂରାଜୀରେ ଲେଖିଛନ୍ତି, “ମମି, ପାପା, ମୁଁ ଜେଇଇ ପାରିବି ନାହିଁ। ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି। ମୁଁ ଜଣେ ଲୁଜର୍। ମୁଁ ସବୁଠୁ ଖରାପ ଝିଅ। ମୋତେ କ୍ଷମା କର, ମମି, ପାପା। ଏହା ମୋର ଶେଷ ବିକଳ୍ପ।”

ସୂଚନା ମୁତାବକ ମୃତ ଛାତ୍ରୀ ନିହାରିକା ସିଂହ ତାଙ୍କ ବାପାଙ୍କ ସହ କୋଟିର ବୋରଖଡା ଅଞ୍ଚଳରେ ରହୁଥିଲେ। ବାପା ଏକ ବ୍ୟାଙ୍କରେ ଗାର୍ଡ ଭାବେ କାମ କରନ୍ତି | ସାବତ ଭାଇ ବିକ୍ରମ ସିଂହ କହିଛନ୍ତି, ନିହାରିକା ଦ୍ବିତୀୟ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ମଧ୍ୟ ପ୍ରସ୍ତୁତି କରୁଥିଲେ | ଏହାରି ଭିତରେ ତାଙ୍କର ପ୍ରତିଯୋଗିତାମୂଳକ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ଟାଇମ୍ ଟେବୁଲ୍ ପ୍ରକାଶ ପାଇଥିଲା | ପରୀକ୍ଷା ପାଇଁ ସେ ମାନସିକ ଚାପରେ ରହୁଥିଲେ ।

କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ବଢ଼ୁଛି । ଏପରି ଘଟଣା ଦୃଷ୍ଟିରୁ କେନ୍ଦ୍ର ସରକାର ନିକଟରେ ଦେଶର ସବୁ କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ ଜାରି କରିଥିଲେ । ଛାତ୍ରଛାତ୍ରୀଙ୍କୁ ଡିପ୍ରେସନରୁ ମୁକ୍ତ ରଖିବା ପାଇଁ କୋଚିଂ ସେଣ୍ଟର ଗୁଡ଼ିକ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି।

ଗତ ବର୍ଷ କୋଟାରେ ୨୬ ଜଣ ପିଲା ଆତ୍ମହତ୍ୟା କରିଥିଲେ, ଯାହାକି କୋଚିଂର ଏହି ଗଡ଼ରେ ଗୋଟିଏ ବର୍ଷରେ ସର୍ବାଧିକ। ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ‌ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଛାତ୍ରଛାତ୍ରୀ କୋଟା ଆସନ୍ତି।

Comments are closed.