ଉପହାର ସିନେମା ଅଗ୍ନିକାଣ୍ଡ: ପ୍ରମାଣ ନଷ୍ଟ ପାଇଁ ଅଂଶଲ ଭ୍ରାତାଙ୍କୁ ୭ ବର୍ଷ ଜେଲ୍

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟ ସୋମବାର ୧୯୯୭ ମସିହାରେ ଘଟିଥିବା ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ପ୍ରମାଣ ନଷ୍ଟ ପାଇଁ ବ୍ୟବସାୟୀ ସୁଶୀଲ ଅଂଶଲ ଏବଂ ଗୋପାଳ ଅଂଶଲ ଏବଂ ଅନ୍ୟମାନଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ଅଂଶଲ ଭ୍ରାତାଙ୍କ ଉପରେ କୋର୍ଟ ୨.୨୬ କୋଟି ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ।

ସୂଚନାନୁସାରେ, ପଟିଆଲା ହାଉସ କୋର୍ଟ ସ୍ଥିତ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ ପଙ୍କଜ ଶର୍ମାଙ୍କ ଅଦାଲତ ଆଜି ସୁଶୀଲ ଏବଂ ଗୋପାଳ ଅଂଶଲଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ସୁଶୀଲ ଏବଂ ଗୋପାଳ ଅଂଶଲଙ୍କ ଉପରେ ୨.୨୫ କୋଟି ଟଙ୍କା ଜୋରିମାନା ମଧ୍ୟ ଲଗାଇବା ସହ ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କ ବ୍ୟତୀତ କୋର୍ଟ ଉପହାର ସିନେମାର ପୂର୍ବତନ କର୍ମଚାରୀ ଦୀନେଶ ଚାନ୍ଦ ଶର୍ମା ଏବଂ ଅନ୍ୟ ଦୁଇ ଦୋଷୀ ପିପି ବାତ୍ରା ଏବଂ ଅନୁପ ସିଂଙ୍କୁ ମଧ୍ୟ ୭ ବର୍ଷ ଜେଲ ଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ତିନି ଲକ୍ଷ ଟଙ୍କା ଜରିମାନା କରାଯାଇଛି।

ଅକ୍ଟୋବର ୮ରେ କୋର୍ଟ ଏହି ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ବ୍ୟବସାୟୀ ସୁଶୀଲ ଏବଂ ଗୋପାଳ ଅଂଶଲଙ୍କ ସମେତ ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ସେମାନଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛନ୍ତି କୋର୍ଟ ।

ଉପହାର ସିନେମା ଅଗ୍ନିକାଣ୍ଡରେ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସିନେମା ହଲର ମାଲିକ ଅଂଶଲ ଭ୍ରାତା ଦୋଷୀ ସାବ୍ୟସ୍ତ ହୋଇଥିଲେ । ସୁପ୍ରିମକୋର୍ଟ ସେମାନଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଜେଲରେ ବିତାଇଥିବା ସମୟକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ସର୍ତ୍ତ ରଖିଥିଲେ ଯେ ରାଜଧାନୀ ଦିଲ୍ଲୀରେ ଟ୍ରମା କେନ୍ଦ୍ର ନିର୍ମାଣ ପାଇଁ ଉଭୟଙ୍କୁ ୩୦ କୋଟି ଟଙ୍କା ଜରିମାନା ଆକାରରେ ଦେବାକୁ ପଡିବ। ଏହି ମାମଲାର ଶୁଣାଣି ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ହର ସ୍ବରୂପ ପାନୱାର ଏବଂ ଧରମବୀର ମଲହୋତ୍ରାଙ୍କ ମୃତ୍ୟୁ ହୋଇଥିଲା।

ଜୁନ୍ ୧୩, ୧୯୯୭ରେ ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମାରେ ଫିଲ୍ମ ‘ବର୍ଡର’ ସ୍କ୍ରିନିଂ ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୫୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଶହେରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଅଦାଲତ ଦେଇଥିବା ନିଷ୍ପତ୍ତିକୁ ଉପହାର ପୀଡ଼ିତ ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି। ଏହି ନିଷ୍ପତ୍ତି ନେଇ ସଂଘ ସନ୍ତୋଷ ବ୍ୟକ୍ତ କରିଛି।

Comments are closed.