ପାକ୍ ସାମ୍ବାଦିକ ନୁସରତ ମିର୍ଜାଙ୍କ ସହ ସମ୍ପର୍କକୁ ପୁଣି ଅସ୍ବୀକାର କଲେ ଅନସାରୀ, ଫଟୋ ଦେଖାଇ ଆକ୍ରମଣ ଜୋରଦାର କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ର ସଦ୍ୟତମ ଆକ୍ରମଣ ପରେ ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ଶୁକ୍ରବାର ପୁଣି କହିଛନ୍ତି ଯେ ସେ ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କୁ ଜାଣି ନାହାଁନ୍ତି କି ତାଙ୍କୁ କୌଣସି ସମ୍ମିଳନୀକୁ ନିମନ୍ତ୍ରଣ କରିନାହାଁନ୍ତି।

ୟୁପିଏ ଶାସନ ଅମଳରେ ସେ ପାଞ୍ଚ ଥର ଭାରତ ଗସ୍ତରେ ଆସିଥିଲେ ଏବଂ ତାଙ୍କ ଦେଶର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଏଠାରୁ ସଂଗୃହିତ ସମ୍ବେଦନଶୀଳ ସୂଚନା ପ୍ରଦାନ କରିଥିଲେ ବୋଲି ମିର୍ଜା ଦାବି କରିଥିଲେ ।

ମିର୍ଜା କହିଥିଲେ ଯେ ସେ ଅନସାରୀଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିଥିଲେ ଏବଂ ତାଙ୍କୁ ମଧ୍ୟ ଭେଟିଥିଲେ । ତେବେ ଅନସାରୀ ତାଙ୍କ ଦାବିକୁ “ଅସତ୍ୟ ଏବଂ ଭିତ୍ତିହୀନ” ବୋଲି କହି ଖଣ୍ଡନ କରିଛନ୍ତି।

ଏହି ପ୍ରସଙ୍ଗରେ ଶୁକ୍ରବାର ବିଜେପି କଂଗ୍ରେସ ଏବଂ ଅନସାରୀଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛି। ୨୦୦୯ରେ ଭାରତରେ ଅନୁଷ୍ଠିତ ଆତଙ୍କବାଦ ଉପରେ ଏକ ଆଲୋଚନାଚକ୍ରରେ ମଞ୍ଚରେ ଅନସାରୀ ଏବଂ ମିର୍ଜାଙ୍କର ଏକ ଫଟୋ ମଧ୍ୟ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଦେଖାଇଥିଲା ।

ବିଜେପିର ସଦ୍ୟତମ ଆକ୍ରମଣ ପରେ ଅନସାରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରିଛି । ଏଥିରେ କୁହାଯାଇଛି ଯେ, ଭାରତର ପୂର୍ବତନ ଉପରାଷ୍ଟ୍ରପତି ତାଙ୍କ ବିବୃତ୍ତିରେ କାଏମ ଅଛନ୍ତି । ସେ ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କୁ ଜାଣନ୍ତି ନାହିଁ ଏବଂ ତାଙ୍କୁ କୌଣସି ସମ୍ମିଳନୀକୁ ନିମନ୍ତ୍ରଣ କରିନଥିଲେ ।

ମିର୍ଜାଙ୍କୁ ସେ ନିମନ୍ତ୍ରଣ କରିଥିବା ନେଇ ବିଜେପିର ଅଭିଯୋଗକୁ ଖଣ୍ଡନ କରି ଅନସାରୀ କିଛି ଦିନ ତଳେ କହିଥିଲେ ଯେ ଏହା ଏକ ଜଣାଶୁଣା ସତ୍ୟ ଯେ ଭାରତର ଉପରାଷ୍ଟ୍ରପତିଙ୍କ ଦ୍ୱାରା ବିଦେଶୀ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ ସରକାରଙ୍କ ପରାମର୍ଶରେ ପଠାଯାଏ, ସାଧାରଣତଃ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ।

ପାକିସ୍ତାନରେ ମିର୍ଜା ଦେଇଥିବା ଏକ ସାକ୍ଷାତକାରର ଭିଡ଼ିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏଥିରେ ମିର୍ଜା କହିଛନ୍ତି ଯେ ସେ ଭାରତରେ ଆତଙ୍କବାଦ ଉପରେ ଏକ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ, ଯେଉଁଥିରେ ଅନସାରୀ ମଧ୍ୟ ଉପସ୍ଥିତ ଥିଲେ।

ମିର୍ଜା ଏହା ମଧ୍ୟ ଦାବି କରିଥିଲେ ଯେ ସେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) କୁ ଅନେକ ରହସ୍ୟ ଏବଂ ଗୁପ୍ତ ସୂଚନା ପ୍ରଦାନ କରିଥିଲେ ।

Comments are closed.