ଦକ୍ଷିଣ ଆଫ୍ରିକାକୁ ଟିମ୍ ପଠାଇବା ପୂର୍ବରୁ ବିସିସିଆଇକୁ ସରକାରଙ୍କ ପରାମର୍ଶ ନେବାକୁ ପଡ଼ିବ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାକୁ କ୍ରିକେଟ୍ ଟିମ୍ ପଠାଇବା ପୂର୍ବରୁ ବିସିସିଆଇ ସରକାରଙ୍କ ସହିତ ପରାମର୍ଶ କରିବା ଉଚିତ ବୋଲି ଶନିବାର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

ଦକ୍ଷିଣ ଆଫ୍ରିକାରେ କୋଭିଡ୍-୧୯ ର ଏକ ନୂଆ ଭାରିଆଣ୍ଟ ମିଳିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ବବ୍ୟାପୀ ସବୁ ଦେଶମାନଙ୍କୁ ଆଲର୍ଟ ଜାରି କରିଛି ।

କେବଳ ବିସିସିଆଇ ନୁହେଁ, ନୂଆ ଭାରିଆଣ୍ଟ ଠାବ ହୋଇଥିବା ଦେଶକୁ ଦଳ ପଠାଇବା ପୂର୍ବରୁ ପ୍ରତ୍ୟେକ କ୍ରୀଡ଼ା ସଂଘ ମଧ୍ୟ ଭାରତ ସରକାରଙ୍କ ସହିତ ପରାମର୍ଶ କରିବାକୁ ପଡ଼ିବ ବୋଲି ଠାକୁର କହିଛନ୍ତି। ଯେଉଁଠାରେ ବିପଦ ରହିଛି ସେହି ଦେଶକୁ ଦଳ ପଠାଇବା ଠିକ୍ ନୁହେଁ । ଯଦି ବିସିସିଆଇ ଆମ ସହିତ ପରାମର୍ଶ କରେ ତେବେ ଆମେ ଏହା ଉପରେ ବିଚାରବିମର୍ଶ କରିବୁ ବୋଲି ଠାକୁର ବାଗପତରେ ଏକ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି।

ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ଏବଂ ଚାରି ଟି-ଟ୍ୱେଣ୍ଟି ପାଇଁ ଭାରତ ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଟିମ୍ ଇଣ୍ଡିଆର ଏହି ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବା ଯୋଜନା ରହିଛି |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଶନିବାର ଦିନ ଦକ୍ଷିଣ ଆଫ୍ରିକାରେ ମିଳିଥିବା ନୂଆ କୋଭିଡ୍-୧୯ ଭାରିଆଣ୍ଟ ବି.୧.୧.୫୨୯ର ନାମକରଣ କରିଛି । ଏହାକୁ ‘ଓମିକ୍ରନ୍’ ଭାବେ ନାମିତ କରାଯାଇଛି । ଏହି ନୂଆ ଭାରିଆଣ୍ଟ କରୋନାର ଅନ୍ୟ ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରମଣଶୀଳ ଓ‌ ଘାତକ ବୋଲି କୁହାଯାଉଛି ।

Comments are closed.