ମେସିଙ୍କ ସ୍ୱପ୍ନ ସାକାର, ଫ୍ରାନ୍ସକୁ ପେନାଲ୍ଟି ସୁଟ୍ ଆଉଟ୍‌ରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ

ଦୋହା: ଦୀର୍ଘ ୩୬ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା । ରବିବାର ଲୁସେଲ ଷ୍ଟାଡିୟମରେ ଖେଳାଯାଇଥିବା ଫିଫା ବିଶ୍ୱକପ ୨୦୨୨ର ଏକ ରୋମାଞ୍ଚକର ତଥା ନାଟକୀୟ ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ପେନାଲ୍ଟି ସୁଟ୍ ଆଉଟ୍‌୍‌ରେ ଗତ ଥରର ବିଜେତା ଫ୍ରାନ୍ସକୁ ୪-୨ (୩-୩)ରେ ହରାଇ ଟାଇଟଲ୍ ଜିତିଛି । ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ ଟାଇଟଲ୍ ହାତେଇଛି । ସୁପରଷ୍ଟାର ଲିଓନେଲ ମେସିଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇଛି । କ୍ୟାରିୟରର ପଞ୍ଚମ ତଥା ନିଜ ଶେଷ ବିଶ୍ୱକପରେ ନିଜ ଦଳକୁ ଚାମ୍ପିୟନ କରାଇ ଏହି ମହାନ ଖେଳାଳି ତାଙ୍କ ସ୍ୱପ୍ନ ସାକାର କରିଛନ୍ତି । ଆର୍ଜେଣ୍ଟିନାର ଏହା ତୃତୀୟ ବିଶ୍ୱକପ ଟ୍ରଫି । ପୂର୍ବରୁ ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ଚାମ୍ପିୟନ ହୋଇଥିଲା । ୨୦୦୨ ପରେ ଆର୍ଜେଣ୍ଟିନା ପ୍ରଥମ ଦକ୍ଷିଣ ଆମେରିକୀୟ ଦଳ ଭାବେ ବିଶ୍ୱ ବିଜେତା ହୋଇଛି ।

ଫ୍ରାନ୍ସ ଓ ଆର୍ଜେଣ୍ଟିନା ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପରସ୍ପରକୁ ଟକ୍କର ଦେଇଥିଲେ । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୨ଟି ଗୋଲ୍ ଦେଇ ଆଗୁଆ ରହିଥିଲା । ହେଲେ ଦ୍ୱିତୀୟାଦ୍ଧୟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ୨-୨ କରି ଦେଇଥିଲା । । ଫଳରେ ମ୍ୟାଚ୍ ଏକ୍ଟଟ୍ରା ଟାଇମକୁ ଯାଇଥିଲା । ୧୦୮ତମ ମିନିଟରେ ପୁଣି ମେସିଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ୩-୨ରେ ଅଗ୍ରଣୀ ହୋଇଥିଲା । ଫାଇନାଲରେ ଏହା ମେସିଙ୍କ ଦ୍ୱିତୀୟ ତଥା ଏହି ବିଶ୍ୱକପର ସପ୍ତ ଗୋଲ୍ ଥିଲା । ହେଲେ ଏମ୍ବାପେ ୧୧୮ତମ ମିନିଟରେ ମ୍ୟାଚର ହ୍ୟାଟ୍ରିକ୍ ଗୋଲ ସହ ଫ୍ରାନ୍ସକୁ ପୁଣି ବରାବର ସ୍ଥିତିକୁ ଆଣି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ଶେଷରେ ମ୍ୟାଚ୍ ପେନାଲ୍ଟି ସୁଟଆଉଟକୁ ଯାଇଥିଲା । ପେନାଲ୍ଟି ସୁଟଆଉଟରେ ଫ୍ରାନ୍ସ ୨ଟି ସଟ୍ ମିସ୍ କରିଥିବା ବେଳେ ଆର୍ଜେଣ୍ଟିନା ୪-୨ରେ ବାଜି ମାରି ନେଇଥିଲା ।

ଫାଇନାଲରେ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଓ ଜୋସର ସହ ପ୍ରଦର୍ଶନ କରି ଫ୍ରେଞ୍ଚ୍ ରକ୍ଷଣଭାଗକୁ ଚାପରେ ରଖିଥିଲା । ଏପରିକି ପ୍ରଥମ ପାଞ୍ଚ ମିନିଟରେ ଆର୍ଜେଣ୍ଟିନା ଷ୍ଟ୍ରାଇକର ଜୁଲିଆନ୍ ଆଲଭାରେଜ୍ ଦୁଇଥର ଗୋଲ୍ ସ୍କୋର କରିବା ନିକଟତର ହୋଇଥିଲେ । ପ୍ରଥମେ ସାଥୀ ଖେଳାଳି ଡି’ମାରିଆଙ୍କ ପାସକୁ ଆଲଭାରେଜ୍ ଫ୍ରାନ୍ସ ଗୋଲପୋଷ୍ଟ ନିକଟକୁ ନେଇ ପହଞ୍ଚି ଯାଇଥିଲେ । ତେବେ ଏହା ଅଫ୍ ସାଇଡ୍ ହୋଇଥିଲା । ପୁଣି ଆଲଭାରେଜ୍ ୧୦୦ ମିଟର ଦୂରରୁ ଏକ ଶକ୍ତିଶାଳୀ ସଟ୍ ମାରିଥିଲେ, ହେଲେ ତାହା ସିଧା ଫ୍ରାନ୍ସ ଗୋଲକିପର ଲୋରିସଙ୍କ ହାତକୁ ଯାଇଥିଲା ।

ଆର୍ଜେଣ୍ଟିନା ଆକ୍ରମଣ ଜାରି ରଖି ପ୍ରଥମ ୧୫ ମିନିଟରେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲା । ଶେଷରେ ୨୧ତମ ମିନିଟରେ ଏହି ଦକ୍ଷିଣ ଆମେରିକୀୟ ଦଳକୁ ଏକ ପେନାଲ୍ଟି ସୁଯୋଗ ମିଳିଥିଲା । ବକ୍ସ ଭିତରେ ଆର୍ଜେଣ୍ଟିନା ଷ୍ଟ୍ରାଇକର ଡି’ମାରିଆଙ୍କୁ ଫ୍ରାନ୍ସ ଖେଳାଳି ଡେମ୍ବଲେ ଫାଉଲ୍ ମାରିବା ପରେ ଆର୍ଜେଣ୍ଟିନାକୁ ପେନଲ୍ଟି ମିଳିଥିଲା, ଯଦିଓ ରେଫରୀଙ୍କ ଏହି ନିଷ୍ପତ୍ତି ସାମାନ୍ୟ କଠୋର ଥିଲା ବୋଲି ଟିଭି ରିପ୍ଲେରୁ ଜଣାପଡ଼ିଥିଲା । ଆର୍ଜେଣ୍ଟିନା ପାଇଁ ମେସି ଏହି ପେନାଲ୍ଟି ସଟ୍ ନେଇଥିଲେ । ଏହି ସୁପରଷ୍ଟାର ପେନାଲ୍ଟିକୁ ଗୋଲର ରୂପାନ୍ତର କରି ଆର୍ଜେଣ୍ଟିନାକୁ ୧-୦ରେ ଅଗ୍ରଣୀ କରାଇଥିଲେ ।

ଏହି ବିଶ୍ୱକପରେ ମେସିଙ୍କ ଏହା ଷଷ୍ଠ ଗୋଲ୍ ଥିଲା ଓ ମୋଟରେ ଏହା ତାଙ୍କର ୧୨ତମ ବିଶ୍ୱକପ ଗୋଲ୍ । ମେସି ପ୍ରଥମ ଥର ଏକ ଫାଇନାଲରେ ଆର୍ଜେଣ୍ଟିନା ପାଇଁ ଗୋଲ୍ ସ୍କୋର କରିଥିଲେ । ମେସି ମଧ୍ୟ ପ୍ରଥମ ଖେଳାଳି ଭାବେ ଏକ ବିଶ୍ୱକପରେ ସମସ୍ତ ଚାରିଟି ନକ୍ ଆଉଟ୍ ମ୍ୟାଚରେ ଗୋଲ୍ କରିବା ରେକର୍ଡ କରିଥିଲେ । ଫାଇନାଲ ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରି-କ୍ୱାର୍ଟର ସହ ନେଦରଲାଣ୍ଡ୍‌ସ ବିପକ୍ଷ କ୍ୱାର୍ଟର ଫାଇନାଲ ଓ କ୍ରୋଏସିଆ ବିପକ୍ଷ ସେମିଫାଇନାଲରେ ଗୋଲ୍ କରିଥିଲେ ।

ମେସି ଖାତା ଖୋଲିବା ପରେ ୩୫ତମ ମିନିଟରେ ଡି’ମାରିଆ ଆଜେଣ୍ଟିନା ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ମ୍ୟାକ୍ ଆଲିଷ୍ଟର ବାମପଟୁ ଏକ ସୁନ୍ଦର ପାସ୍ ପାଇ ଡ’ମାରିଆ ବଲକୁ ଫ୍ରାନ୍ସ ଗୋଲପୋଷ୍ଟ ଭିତରକୁ ପଠାଇ ଦେଇ ଆର୍ଜେଣ୍ଟିନାକୁ ୨-୦ରେ ଅଗ୍ରଣୀ କରାଇ ଦେଇଥିଲେ ।

ପ୍ରଥମାର୍ଦ୍ଧ ସୁଦ୍ଧା ୦-୨ରେ ପଛୁଆ ରହିଥିବା ଫ୍ରାନ୍ସ କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସ୍କୋରକୁ ବରାବର କରି ଦେଇଥିଲା । ପୁଣି ଷ୍ଟାର ଖେଳାଳି କିଲିଆନ୍ ଏମ୍ବାପେ ଦଳ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ । ଫୁଲ୍ ଟାଇମକୁ ଆଉ ୧୦ ମିନିଟ୍ ଥିବା ବେଳେ ଫ୍ରାନ୍ସକୁ ମିଳିଥିଲା ପେନାଲ୍ଟି । ଏମ୍ବାପେ କୌଣସି ଭୁଲ୍ ନ କରି ଏହାକୁ ଗୋଲରେ ରୂପାନ୍ତର କରିଥିଲେ । ପୁଣି ପରବର୍ତ୍ତୀ ମିନିଟରେ କିଙ୍ଗସ୍ଲେ କୋମାନ କ୍ରସକୁ ଚମତ୍କାର ଭାବେ ଆର୍ଜେଣ୍ଟିନା ନେଟ୍ ଭିତରକୁ ପଠାଇ ଏମ୍ବାପେ ସ୍କୋରକୁ ୨-୨ କରି ଦେଇଥିଲେ । ୯୦ତମ ମିନଟରେ ମେସି ପୁଣି ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇବା ନିକଟତର ହୋଇଥିଲେ । ହେଲେ ତାଙ୍କ ସଟ୍ ଗୋଲପୋଷ୍ଟ ଉପରକୁ ଚାଲି ଯାଇଥିଲା ।

Comments are closed.