ଟେଷ୍ଟ ର଼୍ୟାଙ୍କିଙ୍ଗ: ଅଶ୍ୱିନଙ୍କ ଶୀର୍ଷ ସ୍ଥାନ ବଜାୟ, କୋହଲି ବି ଉଠିଲେ

ଦୁବାଇ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଖେଳାଳିଙ୍କ ଭଲ ପ୍ରଦର୍ଶନର ପ୍ରତିଫଳନ ଆଇସିସିର ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦେଖିବାକୁ ମିଳିଛି। ରବିଚନ୍ଦ୍ରନ୍ ଅଶ୍ୱିନ୍ ନମ୍ବର-୧ ଟେଷ୍ଟ ବୋଲର ଭାବେ ସ୍ଥାନ ବଜାୟ ରଖିଛନ୍ତି। ସେ ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇଛନ୍ତି। ଗତ ର଼୍ୟାଙ୍କିଙ୍ଗରେ ଆଣ୍ଡରସନଙ୍କ ସହ ଅଶ୍ବିନ ଯୁଗ୍ମ ଏକ ନମ୍ବର ବୋଲର ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ତିନୋଟି ଅର୍ଦ୍ଧଶତକ ହାସଲ କରିଥିବା ଅକ୍ଷର ପଟେଲଙ୍କୁ ଉଭୟ ବ୍ୟାଟିଂ ଓ ଅଲରାଉଣ୍ଡର ମାନ୍ୟତାରେ ଲାଭ ମିଳିଛି। ଅହମ୍ମଦାବାଦ ଟେଷ୍ଟରେ ୧୮୬ ରନର ଇନିଂସ୍ ଖେଳିଥିବା ବିରାଟ କୋହଲି ମଧ୍ୟ ୭ଟି ସ୍ଥାନ ଉନ୍ନୀତ ହୋଇଛନ୍ତି । ତଥାପି ସେ ଟପ୍-୧୦ ବାହାରେ‌ ଅଛନ୍ତି |

ରବିଚନ୍ଦ୍ରନ ଅଶ୍ୱିନଙ୍କ ବିଷୟରେ କହିବାକୁ ଗଲେ ସେ ପ୍ରଥମେ ବୋଲିଂ ର଼୍ୟାଙ୍କିଙ୍ଗରେ ଜେମ୍ସ ଆଣ୍ଡରସନଙ୍କ ସହ ମିଳିତ ଭାବେ ଶୀର୍ଷରେ ଥିଲେ। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ପ୍ଲେୟାର ଅଫ୍ ଦି ସିରିଜ ବିବେଚିତ ହୋଇଥିବା ଅଶ୍ବିନ ଏବେ ଇଂଲଣ୍ଡର ଏହି ଭେଟେରାନ ବୋଲରଙ୍କୁ ପଛରେ ପକାଇ ନମ୍ବର -୧ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ବିନ ହାରାହାରି ୧୭.୨୮ରେ ୪ଟି ମ୍ୟାଚରେ ୨୫ଟି ୱିକେଟ୍ ନେଇଥିଲେ। ବର୍ତ୍ତମାନ ତାଙ୍କର ୮୬୯ ରେଟିଂ ପଏଣ୍ଟ ଥିବାବେଳେ ଆଣ୍ଡରସନଙ୍କର ୮୫୯ ରେଟିଂ ପଏଣ୍ଟ ଅଛି |

୧୨୦୫ ଦିନ ପରେ ଟେଷ୍ଟରେ ଶତକ ହାସଲ କରିଥିବା ବିରାଟ କୋହଲିଙ୍କ ମାନ୍ୟତାରେ ଉନ୍ନତି ଘଟିଛି । ଅହମ୍ମଦାବାଦରେ ଟେଷ୍ଟ କ୍ୟାରିୟରର ୨୮ତମ ଶତକ ହାସଲ କରିଥିବା କୋହଲି ବ୍ୟାଟିଂ ତାଲିକାରେ ୭ଟି ସ୍ଥାନ ଲମ୍ଫ ଦେଇ ୧୩ ନମ୍ବରରେ ପହଞ୍ଚିଛନ୍ତି | ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୧୦ ନମ୍ବରରେ ଥିବାବେଳେ କାର୍ ଦୁର୍ଘଟଣା ଯୋଗୁଁ କ୍ରିକେଟରୁ ବଞ୍ଚିତ ହୋଇଥିଲେ ମଧ୍ୟ ରିଷଭ ପନ୍ତ ଟପ୍ -୧୦ରେ ଅଛନ୍ତି । ପନ୍ତ ନବମ ସ୍ଥାନରେ ରହିଛନ୍ତି । ଭାରତ ବିପକ୍ଷ ଟେଷ୍ଟରେ ଆଶାନୁରୂପ ପ୍ରଦର୍ଶନ କରିନଥିଲେ ମଧ୍ୟ ମାର୍ନସ୍ ଲାବୁସେନ୍ ଶୀର୍ଷରେ ରହିଛନ୍ତି |

ବର୍ଡର-ଗାଭାସ୍କର ଟ୍ରଫିରେ ବ୍ୟାଟ୍ ସହ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ଅକ୍ଷର ପଟେଲ ୮ଟି ସ୍ଥାନ ଉନ୍ନୀତ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ୪୪ ନମ୍ବରରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୪ଟି ଟେଷ୍ଟରେ ୨୬୪ ରନ୍ କରିଥିବା ଅକ୍ଷର ଅଲରାଉଣ୍ଡର ମାନ୍ୟତାରେ ବି ଉପରକୁ ଉଠିଛନ୍ତି | ସେ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି | ରବୀନ୍ଦ୍ର ଜାଡେଜା ଶୀର୍ଷର ରହିଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Comments are closed.