ସେପ୍ଟେମ୍ବରରେ ଏସିଆ କପ୍, ଗୋଟିଏ ଗ୍ରୁପରେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଗୁରୁବାର ୨୦୨୩-୨୪ ପାଇଁ କ୍ରିକେଟ୍ କ୍ୟାଲେଣ୍ଡର ଜାରି କରିଛି। ଏସିସି ସଭାପତି ଜୟ ଶାହା ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି। ଏସିସି କ୍ୟାଲେଣ୍ଡର ଅନୁଯାୟୀ ପୁରୁଷ ଏସିଆ କପ୍ ୨୦୨୩ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ଏଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିଛନ୍ତି । ଦିନିକିଆ ବିଶ୍ୱକପ୍ ୨୦୨୩କୁ ଦୃଷ୍ଟିରେ ରଖି ଏଥର ଏସିଆ କପ୍ ୫୦ ଓଭର ଫର୍ମାଟରେ ଖେଳାଯିବ | ଗତ ଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯାଇଥିଲା । ତେବେ ଏଥର ଏସିଆ କପ୍ ସଂସ୍କରଣର ଭେନ୍ୟୁ ଓ ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନାହିଁ

ଏଥର ଏସିଆ କପ୍ ପାକିସ୍ତାନରେ ହେବାର ଥିଲା । ଏସିଆ କପକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହ କିଛି ମାସ ତଳେ କହିଥିଲେ ଯେ ଏସିଆ କପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ । ଏହି ବହୁରାଷ୍ଟ୍ରୀୟ ଟ୍ରଫି ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ। ଶାହାଙ୍କ ଏପରି ମନ୍ତବ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ଏପରିକି ଭାରତରେ ହେବାକୁ ଥିବା ୨୦୨୩ ବିଶ୍ବକପରୁ ଓହରିବାକୁ ପିସିବି ଧମକ ଦେଇଥିଲା । ଇତି ମଧ୍ୟରେ ପିସିସି ନେତୃତ୍ବ ବଦଳି ଯାଇଛି | ରମିଜ ରାଜା ପିସିବିରୁ ବିତାଡିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନଜାମ ସେଠୀ ଅଧ୍ୟକ୍ଷ ହୋଇଛନ୍ତି। ପିସିବି କମାଣ ସମ୍ଭାଳିବା ପରେ ସେଠୀ କହିଥିଲେ ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଭାରତ ଯିବ କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ।

ଏସିଆ କପ୍ ୨୦୨୩ରେ ମୋଟ ୧୩ଟି ମ୍ୟାଚ୍ ଖେଳାଯିବ |
ଜୟ ଶାହାଙ୍କ ଟୁଇଟ୍ ଅନୁଯାୟୀ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍‌ ୬ଟି ଦଳକୁ ନେଇ ଅନୁଷ୍ଠିତ ହେବ। ଏହି ୬ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ | ଭାରତ, ପାକିସ୍ତାନ ଏବଂ ଏକ କ୍ୱାଲିଫାୟର ଦଳ ଗୋଟିଏ ଦଳରେ ରହିଛନ୍ତି । ଅନ୍ୟ ଗ୍ରୁପରେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଅଛନ୍ତି। ଲିଗ୍ ପର୍ଯ୍ୟାୟରେ ମୋଟ ୬ଟି ମ୍ୟାଚ୍ ହେବ | ଲିଗ୍ ପର୍ଯ୍ୟାୟରୁ ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ | ଏହାପରେ ସୁପର-୪ ରାଉଣ୍ଡ ରାଉଣ୍ଡ ରବିନ୍ ଫର୍ମାଟରେ ଖଳାଯିବ | ଏଥିରେ ୪ଟି ଦଳ ମଧ୍ୟରେ ମୋଟ ୬ଟି ମ୍ୟାଚ୍ ହେବ | ସୁପର-୪ ରାଉଣ୍ଡର ଟପ୍ ଦୁଇ ଟିମ୍ ମଧ୍ୟରେ ଫାଇନାଲ ଖେଳାଯିବ ।

ଏସିଆ କପ୍ ୨୦୨୨ ୟୁଏଇରେ ଖେଳାଯାଇଥିଲା । ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଶ୍ରୀଲଙ୍କା ଷଷ୍ଠ ଥର ଚାମ୍ପିୟନ ହୋଇଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସୁପର-୪ରେ ପହଞ୍ଚିଥିଲା । ତେବେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ହାରିବା ପରେ ରୋହିତ ଶର୍ମାଙ୍କ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲା।

Comments are closed.