ଶ୍ରୀଲଙ୍କାରେ ଅଗଷ୍ଟ ୨୭ରୁ ଏସିଆ କପ୍ କ୍ରିକେଟ

କଲମ୍ବୋ: ଟି-୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏସିଆ କପ୍-୨୦୨୨ର ତାରିଖ ଘୋଷଣା କରାଯାଇଛି | ଅଗଷ୍ଟ ୨୭ ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୭ରେ ଫାଇନାଲ ଖେଳାଯିବ | କଲମ୍ବୋରେ ଅନୁଷ୍ଠିତ ଏସିଆନ କ୍ରିକେଟ୍ କାଉନସିଲ (ଏସିସି)ର ବାର୍ଷିକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦିଓ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବିଷୟରେ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ, କିନ୍ତୁ କ୍ରିକେଟ୍ ପ୍ରଶଂସକମାନେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର ପୂର୍ବରୁ ଏସିଆ କପ୍‌ରେ ଭାରତ-ପାକ୍ ମୁକାବିଲା ଦେଖିବାକୁ ସୁଯୋଗ ପାଇପାରନ୍ତି |

୧୯୮୪ ମସିହାରେ ଆରମ୍ଭ ହୋଇଥିବା ଏସିଆ କପ୍ ସାଧାରଣତଃ ଏକ ୫୦ ଓଭର ଟୁର୍ନାମେଣ୍ଟ । କିନ୍ତୁ ୨୦୧୬ରେ ଏହା ପ୍ରଥମ ଥର ପାଇଁ ଟି-୨୦ ଫର୍ମାଟରେ ଖେଳାଯାଇଥିଲା | ଚଳିତ ବର୍ଷର ଏସିଆ କପ୍ ଦ୍ୱିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ଖେଳାଯିବ | ଟୁର୍ଣ୍ଣାମେଣ୍ଟର ସଦ୍ୟତମ ସଂସ୍କରଣ ୨୦୨୦ରେ ହେବାର ଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ବିଳମ୍ବ ହୋଇଥିଲା । ଏଥର ଏହି ଇଭେଣ୍ଟର କାର୍ଯ୍ୟସୂଚୀ ଶେଷରେ ଏସୀୟ କ୍ରିକେଟ୍ ପରିଷଦର ଏଜିଏମରେ ଚୂଡାନ୍ତ ହୋଇଛି |

ଏପର୍ଯ୍ୟନ୍ତ ୧୪ ଥର ଏସିଆ କପ୍ ଆୟୋଜିତ ହୋଇଛି | ଏହି ଟୁର୍ନାମେଣ୍ଟ ପ୍ରତି ଦୁଇ ବର୍ଷରେ ଆୟୋଜିତ ହୋଇଥାଏ, ଯଦିଓ ବିଭିନ୍ନ କାରଣରୁ ଏହାର ଆୟୋଜନ ବ୍ୟବଧାନ ମଧ୍ୟ ବୃଦ୍ଧି ପାଇଛି | ବେଳେବେଳେ ଏସିଆ କପ୍ ଚାରି ବର୍ଷର ବ୍ୟବଧାନରେ ମଧ୍ୟ ହୋଇଛି | ଏସିଆ କପ୍ ଇତିହାସରେ ଭାରତ ହେଉଛି ସବୁଠାରୁ ସଫଳ ଦଳ | ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭ ଥର ଚାମ୍ପିଅନ ହୋଇଛି | ଶ୍ରୀଲଙ୍କା ୫ ଥର ଏବଂ ପାକିସ୍ତାନ ୨ ଥର ଏହି ଟାଇଟଲ ଜିତିଛନ୍ତି। ବାଂଲାଦେଶ ଏସିଆ କପ୍‌ ଥରେ ମଧ୍ୟ ଜିତି ନାହିଁ, ଯଦିଓ ଏହି ଟିମ୍ ୩ ଥର ରନର୍ସ ଅପ୍ ହୋଇଛି |

ଏସିଆ କପ୍ ୨୦୨୨ରେ ୬ଟି ଦଳ ଅଂଶଗ୍ରହଣ କରିବେ | ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନ ସହିତ ଏକ କ୍ବାଲିଫାୟର ଦଳ ରହିବ। ୟୁଏଇ, କୁଏତ, ସିଙ୍ଗାପୁର ଏବଂ ହଂକଂ ମଧ୍ୟରେ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ | ଏହି କ୍ବାଲିଫାୟର ଟୁର୍ନାମେଣ୍ଟ ୨୦ ଅଗଷ୍ଟ ୨୦୨୨ ରୁ ଖେଳାଯିବ |

Comments are closed.