୫୦ ବର୍ଷର ସୀମା ବିବାଦର ସମାଧାନ ନେଇ ଆସାମ ଓ ମେଘାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଆସାମ ଏବଂ ମେଘାଳୟ ମଙ୍ଗଳବାର ପାଞ୍ଚ ଦଶନ୍ଧି ପୁରୁଣା ସୀମା ବିବାଦର ସମାଧାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ମୋଟ ୧୨ଟି ବିବାଦୀୟ ଅଞ୍ଚଳ ମଧ୍ୟରୁ ୬ଟି ଅଞ୍ଚଳରେ ସୀମା ବିବାଦର ସମାଧାନ ପାଇଁ ଚୁକ୍ତି ସ୍ବାକ୍ଷରିତ ସୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉତ୍ତର-ପୂର୍ବ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି।

ଶାହା, ଆସାମ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱ ସରମା ଏବଂ କୋନରାଡ ସାଙ୍ଗମାଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ୮୮୪.୯ କିଲୋମିଟର ସୀମାରେ ଥିବା ୧୨ ଟି ସ୍ଥାନ ମଧ୍ୟରୁ ଛଅଟିରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ସମାଧାନ କରିବ | ୬ଟି ସ୍ଥାନରେ ୩୬ଟି ଗ୍ରାମ ଅଛି, ଯାହାର କ୍ଷେତ୍ର ୩୬.୭୯ ବର୍ଗ କିଲୋମିଟର ।

ଏଠାରେ ଗୃହ ମନ୍ତ୍ରଣାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହା କହିଛନ୍ତି ଯେ ଉତ୍ତର-ପୂର୍ବ ପାଇଁ ଏହା ଏକ ଐତିହାସିକ ଦିନ।

ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ୭୦ ପ୍ରତିଶତ ସୀମା ବିବାଦର ସମାଧାନ ହୋଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଆସାମ ଏବଂ ମେଘାଳୟ ମଧ୍ୟରେ ସୀମା ବିବାଦ ୫୦ ବର୍ଷ ଧରି ଅଟକି ରହିଛି | ଅବଶ୍ୟ, ସାମ୍ପ୍ରତିକ ସମୟରେ ଏହାର ସମାଧାନ ପାଇଁ ପ୍ରୟାସ ତ୍ବରାନ୍ବିତ ହୋଇଛି ।

ମେଘାଳୟ ୧୯୭୨ ମସିହାରେ ଆସାମରୁ ଅଲଗା ହୋଇଥିଲା । କିନ୍ତୁ ନୂତନ ରାଜ୍ୟ ଆସାମ ପୁନର୍ଗଠନ ଆଇନ, ୧୯୭୧ କୁ ଚ୍ୟାଲେଞ୍ଜ କରିଥିଲା ​​ଯାହା ଦ୍ଵାରା ସୀମାବର୍ତ୍ତୀ ଅଞ୍ଚଳରେ ୧୨ ଟି ସ୍ଥାନରେ ବିବାଦ ଦେଖାଦେଇଥିଲା।

Comments are closed.