ବିବାଦୀୟ ପୋଷ୍ଟ ପାଇଁ କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସର୍ମା ତାଙ୍କର ଏକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସମାଲୋଚନା ପରେ ସେ ତାଙ୍କର ସେହି ପୋଷ୍ଟକୁ ଡିଲିଟ୍ ମଧ୍ୟ କରିଛନ୍ତି।

ବ୍ରାହ୍ମଣ, କ୍ଷତ୍ରୀୟ ଏବଂ ବୈଶ୍ୟଙ୍କ ସେବା କରିବା ହେଉଛି ଶୁଦ୍ରଙ୍କ ଜନ୍ମଗତ କର୍ତ୍ତବ୍ୟ ବୋଲି ସର୍ମା ତାଙ୍କ ଡିଲିଟ୍ ପୋଷ୍ଟରେ କହିଥିଲେ । ମଙ୍ଗଳବାର ସକାଳେ କରାଯାଇଥିବା ଏହି ପୋଷ୍ଟକୁ ହଟାଇବା ପରେ ସେ ଗୁରୁବାର ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଗୁରୁବାର ସେ ଏହା ବିଷୟରେ ସ୍ପଷ୍ଟ କରି କହିଛନ୍ତି, ତାଙ୍କ ଟିମର ସଦସ୍ୟମାନେ ଭୁଲ୍ ଅନୁବାଦ ସହିତ ଏକ ପୋଷ୍ଟ ପକେଇଥିଲେ ।

ତେବେ ବିରୋଧୀ ଦଳର ନେତାମାନେ ତାଙ୍କୁ ଏହି ଜାତିଭେଦ ପୋଷ୍ଟ ପାଇଁ ତୀବ୍ର ସମାଲୋଚନା କରିଥିଲେ । ଏହା ହିନ୍ଦୁତ୍ୱ ସମାନତା, ଭ୍ରାତୃଭାବ ଏବଂ ନ୍ୟାୟ ବିରୋଧୀ ବୋଲି ସେମାନେ କହିଥିଲେ ।

ଏପରି ବିବାଦୀୟ ପୋଷ୍ଟ ପାଇଁ ସମାଲୋଚିତ ହେବା ପରେ ଗୁରୁବାର ସନ୍ଧ୍ୟାରେ ହିମନ୍ତ ବିଶ୍ୱ ସର୍ମା ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇଥିଲେ। ସେ ଲେଖିଥିଲେ, ସେ ସୋସିଆଲ ମିଡିଆରେ କରାଯାଇଥିବା ଏକ ପୋଷ୍ଟକୁ ହଟାଉଛନ୍ତି।

ସେ କହିଥିଲେ – ନିକଟରେ ମୋର ଟିମର ଜଣେ ସଦସ୍ୟ ଭଗବଦ୍ ଗୀତାର ୧୮ତମ ଅଧ୍ୟାୟରୁ ୪୪ ତମ ଶ୍ଲୋକର ଭୁଲ ଅନୁବାଦ ସହିତ ପୋଷ୍ଟ କରିଥିଲେ । ଏହି ଭୁଲ ବିଷୟରେ ଜାଣିବା କ୍ଷଣି ମୁଁ ସଙ୍ଗେ ସଙ୍ଗେ ଏହି ପୋଷ୍ଟକୁ ହଟାଇ ଦେଇଛି। ଯଦି ଅପସାରିତ ପୋଷ୍ଟ ଦ୍ୱାରା କେହି ଆହତ ହୋଇଛନ୍ତି, ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି।”

ଡିସେମ୍ବର ୨୬ ତାରିଖ ସକାଳେ ହିମନ୍ତ ବିଶ୍ୱ ସର୍ମା କୃଷ୍ଣ ଏବଂ ଅର୍ଜୁନଙ୍କ ଏକ ଫଟୋ ସହ ଶ୍ରୀମଦ୍ ଭଗବଦ୍ ଗୀତାର ଏକ ଶ୍ଲୋକ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ପୋଷ୍ଟ କରିଥିଲେ।

ଏଥିରେ ଲେଖାଥିଲା, “ଚାଷ, ଗୋପାଳନ ଏବଂ ବଣିଜ – ଏହା ବୈଶ୍ୟଙ୍କ ଅନ୍ତର୍ନିହିତ ତଥା ସ୍ବାଭାବିକ ବୃତ୍ତି । ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ତିନୋଟି ବର୍ଣ୍ଣର ଲୋକଙ୍କ ସେବା କରିବା ମଧ୍ୟ ଶୁଦ୍ରମମାନଙ୍କ ଏକ ସ୍ବାଭାବିକ କର୍ତ୍ତବ୍ୟ।”
ଏପରି ଜାତିଭେଦ ପୋଷ୍ଟ ପାଇଁ ତାଙ୍କୁ ବିରୋଧୀ ଭର୍ତ୍ସନା କରିଥିଲେ ।

Comments are closed.