ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କଲୋନେଲ ଓ ପରିବାର ସଦସ୍ୟଙ୍କ ସହ ୭ ଜଣଙ୍କ ମୃତ୍ୟୁ

ଇମ୍ଫାଲ: ଭାରତୀୟ ସେନା ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଜି ମଣିପୁରର ଚୁରାଚାନ୍ଦପୁର ଠାରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସରଙ୍କ ସ‌ହ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ଏବଂ ପୁଅ ମଧ୍ୟ ନିହତ ହୋଇଛନ୍ତି। ସକାଳ ୧୦ଟାରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପଛରେ ପିପୁଲ୍ସ ଲିବରେସନ୍ ଆର୍ମିର ହାତ ଥିବା କୁହାଯାଉଛି। ଏହି ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦୃଢ଼ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ଧରିବା ପାଇଁ ରାଜ୍ୟ ସୁରକ୍ଷା ବାହିନୀ ଏବଂ
ଅର୍ଦ୍ଧ ସାମରିକ ବାହିନୀ ଅପରେସନ୍ ଆରମ୍ଭ କରିଛନ୍ତି। ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ଟ୍ବିଟ୍ କରି କହିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାର ମିଆଁମାର ସୀମା ନିକଟରେ ଏହି ଘଟଣା ଘଟିଥିଲା। ପୋଲିସ ସୂତ୍ରରୁ ପ୍ରକାଶ ଯେ ୪୭ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର କୋଲନେଲ୍ ବିପ୍ଲବ ତ୍ରିପାଠୀ ଶନିବାର ଏକ ଫରୱାର୍ଡ କ୍ୟାମ୍ପକୁ ଯାଇ ସେଠାରୁ ଫେରୁଥିଲେ । ସେତେବେଳେ ତାଙ୍କର ଗାଡ଼ି ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ କୋଲନେଲ୍ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ପୁଅ ସହ ଆସାମ ରାଇଫଲ୍ସର ୪ ଯବାନ ସହିଦ୍ ହୋଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଟ୍ୱିଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.