ବାଂଲାଦେଶ: ନୂପୁର ଶର୍ମାଙ୍କ ସମର୍ଥନରେ ଫେସବୁକ ପୋଷ୍ଟ ନେଇ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ

ଢାକା: ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହୋଇଛି । ଏକ ଫେସବୁକ୍ ପୋଷ୍ଟ କୁ ନେଇ ହିନ୍ଦୁ ଲୋକଙ୍କ ଘର, ଦୋକାନ ଏବଂ ମନ୍ଦିରରେ ଭଙ୍ଗାରୁଜା କରାଯିବା ସହ ପୋଡ଼ାଜଳା ଅଭିଯୋଗ ହୋଇଛି । ଏହି ଘଟଣା ବାଂଲାଦେଶର ନରେଲ ଜିଲ୍ଲାର ଲୋହାଗଢରେ ଘଟିଛି ।

ଶୁକ୍ରବାର ଲୋହାଗଢ ଉପଜିଲ୍ଲାର ଡିଗଲିଆ ଗ୍ରାମରେ ହିନ୍ଦୁ ମାନଙ୍କ ଘର ସହ ମନ୍ଦିରରେ ଆକ୍ରମଣ ହୋଇଥିଲା, ଯେଉଁ କାରଣରୁ ଦିନସାରା ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଅଞ୍ଚଳରେ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା | ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି।

ଲୋହାଗଢ ପୋଲିସ ଥାନା ଦାୟିତ୍ୱରେ ଥିବା ଶେଖ ଅବୁ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ କୌଣସି ମାମଲା ରୁଜୁ ହୋଇନାହିଁ। ଗିରଫ ବ୍ୟକ୍ତି ଅଭିଯୁକ୍ତ ବାଳକର ପିତା ବୋଲି ସେ କହିଛନ୍ତି ।

ନିକଟରେ ଜଣେ କଲେଜ ଛାତ୍ର ଫେସବୁକରେ ପୂର୍ବତନ ବିଜେପି ନେତା ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ। ଏହା ପରେ ସେହି କଲେଜର ପ୍ରିନ୍ସପାଲ ସ୍ବପନ କୁମାର ବିଶ୍ବାସଙ୍କୁ ଜୋତା ମାଳ ପିନ୍ଧା ଯାଇଥିଲା । ଏହାକୁ ତୀବ୍ର ବିରୋଧ କରାଯାଇଥିଲା । ଏହି ପୋଷ୍ଟ ଯୋଗୁଁ ଶୁକ୍ରବାର ନମାଜ ସମୟରେ ଲୋହାଗଢ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା।

Comments are closed.