ନେଦରଲାଣ୍ଡ୍ସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଇତିହାସରେ ସବୁଠୁ ବଡ଼ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ବୁଧବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୩୦୯ ରନରେ ନେଦରଲାଣ୍ଡ୍ସକୁ ହରାଇଛି । ରନ୍ ଦୃଷ୍ଟିରୁ ବିଶ୍ୱକପ ଇତିହାସରେ ଏହା ସବୁଠୁ ବଡ଼ ବିଜୟ | ଏହା ପୂର୍ବରୁ ସବୁଠୁ ବଡ଼ ବିଜୟ ବ୍ୟବଧାନ ରେକର୍ଡ ମଧ୍ୟ ଅଷ୍ଟ୍ରେଲିଆ ନାଁରେ ଥିଲା । ଅଷ୍ଟ୍ରେଲିଆ ୨୦୧୫ ବିଶ୍ଵକପରେ ପର୍ଥରେ ଆଫଗାନିସ୍ତାନକୁ ୨୫୭ ରନରେ ହରାଇଥିଲା ।

ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କ ରେକର୍ଡ ଶତକ ଓ ଡେଭିଡ୍ ଓ୍ବାର୍ଣ୍ଣରଙ୍କ କ୍ରମାଗତ ଦ୍ବିତୀୟ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୮ ଓ୍ବିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଜବାବରେ ନେଦରଲାଣ୍ଡ୍ସ ୧୦୦ ରନ୍ ମଧ୍ୟ ଟପି ପାରିନଥିଲା । ଦଳ ୨୧ ଓଭରରେ ମାତ୍ର ୯୦ ରନ୍ କରି ଆଉଟ୍ ହୋଇଯାଇଥିଲା ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍ପିନର ଆଡାମ ଜାମ୍ପା ଲଗାତାର ଦ୍ବିତୀୟ ଥର ୪ଟି ଓ୍ବିକେଟ୍ ନେଇଥିଲେ ‌। ମିଚେଲ ମାର୍ଶ ଦୁଇଟି ୱିକେଟ୍ ହାସଲ କରିଥିବା ବେଳେ ଅଧିନାୟକ ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋସ୍ ହାଜଲଉଡ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। । ଏହି ବୃହତ ବିଜୟ ସହ ଅଷ୍ଟ୍ରେଲିଆର ନେଟ୍ ରନ୍ ରେଟ୍ ଉନ୍ନତ ହୋଇଥିବାବେଳେ ଦଳ ଚତୁର୍ଥ ସ୍ଥାନ ବଜାୟ ରଖିଛି । ପାଞ୍ଚଟି ମ୍ୟାଚରୁ ଅଷ୍ଟ୍ରେଲିଆର ଏହା ତୃତୀୟ ବିଜୟ । ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ପାଞ୍ଚଟି ମ୍ୟାଚରୁ ଚତୁର୍ଥ ପରାଜୟ ସହ ଦଶମ ସ୍ଥାନକୁ ଖସିଛି ।

ପୂର୍ବରୁ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଗ୍ଲେନ୍ ମ୍ୟାକ୍ସଓ୍ବେଲ ମାତ୍ର ୪୦ ବଲରେ ଶତକ ମାରି ଏକ ନୂଆ ରେକର୍ଡ କରିଥିଲେ । ବିଶ୍ୱକପ ଇତିହାସରେ ଏହା ହେଉଛି ଦ୍ରୁତତମ ଶତକ । ଏହାପୂର୍ବରୁ ଏହି ରେକର୍ଡ ମାର୍କ୍ରାମଙ୍କ ନାଁରେ ଥିଲା। ସେ ମଧ୍ୟ ଅରୁଣ ଜେଟଲୀ ଷ୍ଟାଡିୟମରେ ହିଁ ଚଳିତ ବିଶ୍ୱକପ୍‌ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୪୯ ବଲରେ ଶତକ ପୂରଣ କରିଥିଲେ।

ମ୍ୟାକ୍ସଓ୍ବେଲଙ୍କ ରେକର୍ଡ ଶତକ ସହ ଡେଭିଡ୍ ଓ୍ବାର୍ଣ୍ଣରଙ୍କ ଲଗାତାର ଦ୍ବିତୀୟ ଶତକୀୟ ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୮ ୱିକେଟ୍ ହରାଇ ୩୯୯ ରନର ବିଶାଳ ସ୍କୋର୍ ଛିଡ଼ା କରିଛି। ମ୍ୟାକ୍ସଓ୍ବେଲ ୪୪ ଟି ବଲରେ ବିସ୍ଫୋରକ ୧୦୬ ରନ୍ କରିଥିଲେ ।

ଅନ୍ତର୍ଜାତୀୟ ଦିନିକିଆରେ ଏହା ହେଉଛି ଚତୁର୍ଥ ଦ୍ରୁତତମ ଶତକ | ଦିନିକିଆରେ ଦ୍ରୁତତମ ଶତକ ରେକର୍ଡ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏବି ଡି’ ଭିଲିୟର୍ସ (୩୧ ବଲ)ଙ୍କ ନାଁରେ ଅଛି ।

ମ୍ୟାକ୍ସଓ୍ବେଲ ତାଙ୍କ ଶତକୀୟ ଇନିଂସରେ ୮ଟି ଚୌକା ଓ ୮ଟି ଛକା ମାରିଥିଲେ । ଏହାଛଡ଼ା ମ୍ୟାକ୍ସୱେଲ ସପ୍ତମ ୱିକେଟ୍ ପାଇଁ ଅଧିନାୟକ ପ୍ୟାଟ୍ କମିନ୍ସ (୧୨*) ଙ୍କ ସହ ୪୪ ବଲରେ ୧୦୩ ରନ୍ ଭାଗିଦାରୀ କରିଥିଲେ । ତାଙ୍କର ବିସ୍ଫୋରକ ବ୍ୟାଟିଂ ସମୟରେ ସେ ରିଭର୍ସ ସୁଇପରେ ଛକା ମାରି ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରିଥିଲେ। ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ବଳରେ ଅଷ୍ଟ୍ରେଲିଆ ଶେଷ ୧୦ ଓଭରରେ ୧୩୧ ରନ୍ ଉଠାଇଥିଲା ।

ଏହାପୂର୍ବରୁ ଓପନର୍ ଡେଭିଡ୍ ୱାର୍ଣ୍ଣର ୮୩ ବଲରେ ୧୧ଟି ଚୌକା ଓ ୩ଟି ଛକା ସହ ୧୦୩ ରନ୍ କରିଥିଲେ । ଗତ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୧୬୩ ରନ୍ କରିଥିବା ୱାର୍ଣ୍ଣରଙ୍କ ଏହା ହେଉଛି ଦିନିକିଆରେ ୨୨ ତମ ଶତକ |

ୱାର୍ଣ୍ଣର ଦ୍ୱିତୀୟ ୱିକେଟ୍ ପାଇଁ ଷ୍ଟିଭ ସ୍ମିଥଙ୍କ ସହ ୧୧୮ ବଲରେ ୧୩୨ ରନ୍ ଏବଂ ତୃତୀୟ ୱିକେଟ୍ ପାଇଁ ମାର୍ନସ୍ ଲାବୁସେନଙ୍କ ସହ ୭୫ ବଲରେ ୮୪ ରନ୍ ଭାଗିଦାରୀ କରିଥିଲେ। ସ୍ମିଥ୍ ୬୮ଟି ବଲରେ ୭୧ ରନର ଇନିଂସ ବେଳେ ୯ ଚୌକା ଓ ଗୋଟିଏ ଛକା ମାରିଥିବାବେଳେ ଲାବୁସେନ୍ ୪୭ଟି ବଲର ଆକ୍ରମଣାତ୍ମକ ଇନିଂସରେ ୭ ଚୌକା ଓ ଦୁଇଟି ଛକା ସହାୟତାରେ ୬୨ ରନ୍ କରିଥିଲେ।

ନେଦରଲାଣ୍ଡ୍ସ ପାଇଁ ଲୋଗାନ୍ ଭାନ୍ ବିକ୍ ୭୪ ରନ୍ ବ୍ୟୟ କରି ୪ଟି ୱିକେଟ୍ ନେଇଥିଲେ। ବାସ୍ ଡି ଲିଡ୍ ୧୦ ଓଭରରେ ୧୧୫ ରନ୍ ଦେଇ ଦୁଇଟି ସଫଳତା ପାଇଥିଲେ।

Comments are closed.