ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ

ଲକ୍ଷ୍ନୌ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ରାମପୁର ବିଧାୟକ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି।

ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଜାରି ବିବୃତ୍ତିରେ ଏହା ସୂଚନା ଦିଆଯାଇଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ହେଟ୍ ସ୍ପିଚ୍ ସହ ଜଡିତ ଏକ ମାମଲାରେ ଆଜମ ଖାନଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ତାଙ୍କୁ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ହୋଇଥିଲା ।

ଦଣ୍ଡାଦେଶର ଦିନକ ପରେ ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରାଯାଇଛି। ୨୦୧୩ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଥିଲେ ଯେ ଯଦି ବିଧାୟକ, ବିଧାନ ପରିଷଦର ସଦସ୍ୟ କିମ୍ବା ଜଣେ ସାଂସଦଙ୍କୁ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୁଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ।

ଆଜମ ଖାନ ୨୦୧୯ରେ ରାମପୁର ଲୋକସଭା ଆସନ ଜିତିଥିଲେ । କିନ୍ତୁ ୨୦୨୨ରେ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ସେ ଉକ୍ତ ଆସନ ଛାଡ଼ି ଦେଇଥିଲେ। ଆଜମ ଖାନ ସୀତାପୁର ଜେଲରେ ଥିବାବେଳେ ରାମପୁର ଆସନରୁ ବିଧାନସଭା ନିର୍ବାଚନ ଜିତିଥିଲେ।

ଗୁରୁବାର ରାମପୁରର‌ ଏକ କୋର୍ଟ ହେଟ୍ ସ୍ପିଚ୍ ମାମଲାରେ ଆଜମ ଖାନ ଏବଂ ଅନ୍ୟ ଦୁଇଜଣଙ୍କୁ ତିନି ବର୍ଷ ଜେଲ ଏବଂ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଥିଲେ ।

Comments are closed.